ଭୋପାଳ ଗ୍ୟାସ ଦୁର୍ଘଟଣା ପୀଡ଼ିତଙ୍କୁ ଦେଇଥିଲେ ନୂଆଁ ଜୀବନ, ଅବଦୁଲ ଜବାରଙ୍କୁ ମରଣୋପରାନ୍ତ ପଦ୍ମଶ୍ରୀ
Khabar Odisha:Nation-Bhopal-gas-tragedy-activist-Abdul-Jabbar-conferred-posthumous-Padmashri

ଭୋପାଳ, ଜାନୁଆରୀ ୨୭ (ଖବର ଓଡ଼ିଶା): ଦେଶର ସବୁଠାରୁ ବଡ଼ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଅନ୍ୟତମ ଥିଲା ୧୯୮୪ ଭୋପାଳ ଗ୍ୟାସ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣାରେ ବହୁ ସଂଖ୍ୟାରେ ଲୋକଙ୍କର ମୃତ୍ୟୁ ଘଟିଥିଲା । ସେହିଭଳି କିଛି ଲୋକ ପଙ୍ଗୁ ହୋଇଯାଇଥିଲେ । ଦୁର୍ଘଟଣାକୁ ସମ୍ମୁଖୀନ ହୋଇ କିଛି ଲୋକ ନିଜ ଜୀବନକୁ ବାଜି ଲଗାଇ ଅନ୍ୟକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅବଦୁଲ ଜବାର, ଯାହାଙ୍କୁ କି ଭାରତ ସରକାରଙ୍କ ତରଫରୁ ମରଣୋପରାନ୍ତ ପଦ୍ମଶ୍ରୀ ସମ୍ମାନ ଦିଆଯାଇଛି । ଏହି ପୁରସ୍କାର ଗ୍ରହଣ କରିଛନ୍ତି ଜବାରଙ୍କ ପତ୍ନୀ । ସେ ଯେତିକି ଖୁସି ଦେଖାଯାଉଥିଲେ, ସ୍ୱାମୀଙ୍କ ଅନୁପସ୍ଥିତିରେ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ । କାରଣ ତାଙ୍କ ଭାଷାରେ ସ୍ୱାମୀ ଥିଲେ ଏକାଠି ପୁରସ୍କାର ଗ୍ରହଣ କରିଥାଆନ୍ତେ । 

ଜବାରଙ୍କ ପତ୍ନୀ ଶାୟରା ବାନୋ କହିଛନ୍ତି, ଯଦି ତାଙ୍କର ସ୍ୱାମୀ ଜୀବିତ ଥାଆନ୍ତେ, ଉଭୟ ସାଥୀ ହୋଇ ପୁରସ୍କାର ଗ୍ରହଣ କରିଥାଆନ୍ତେ । ସେ କହିଛନ୍ତି, ମୁଁ ଖୁସି ବି ଆଉ ଦୁଃଖରେ ଅଛି । ଯଦି ସେ ବଞ୍ଚିଥାଆନ୍ତେ ଏକାଠି ହୋଇ ଏହି ସମ୍ମାନ ଗ୍ରହଣ କରିଥାନ୍ତେ । ମୋର ଶ୍ୱଶୁର ଘର ଲୋକଙ୍କ ଗ୍ୟାସ ଦୁର୍ଘଟଣାରେ ଜୀବନ ଚାଲିଗଲା । ଏହା ପରେ ସ୍ୱାମୀ ପୀଡ଼ିତଙ୍କ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ମଧ୍ୟ ଗ୍ୟାସ ଦୁର୍ଘଟଣାର ଶିକାର ହୋଇଥିଲେ । 

ଜବାର ଦୁର୍ଘଟଣାରେ ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ିଥିଲେ । ଗତ ବର୍ଷ ନଭେମ୍ବର ୧୪ରେ ଦୀର୍ଘ ଦିନ ପର୍ଯ୍ୟନ୍ତ ରୋଗରେ ପୀଡ଼ିତ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ବିଶ୍ୱର ଅନ୍ୟତମ ଭୟଙ୍କର ଗ୍ୟାସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜବାରଙ୍କ ୫୦ ପ୍ରତିଶତ ଦୃଷ୍ଟି ଶକ୍ତି ଚାଲିଯାଇଥିଲା । ସୂଚନାଯୋଗ୍ୟ ୧୯୮୪ ମସିହା ଡିସେମ୍ବର ୨-୩ରେ ୟୁନିୟନ କାର୍ବାଇଡର ପେଷ୍ଟିସାଇଡ କାରଖାନାରୁ ମିଥାଇଲ ଆଇସୋସାୟନାଇଟ ଗ୍ୟାସ ନିର୍ଗତ ହେବା ପରେ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା । 

 

  • Tags:

Subscribe

National International State Sports Entertainment