ପୁଲୱାମା, ଅଗଷ୍ଟ ୦୫ (ଖବର ଓଡ଼ିଶା): ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀମାନେ ପୁଣି ରକ୍ତମୁହାଁ ହୋଇଛନ୍ତି । ଜମ୍ମୁ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ହଟିବାର ବର୍ଷ ପୂର୍ତ୍ତି ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଅଣକଶ୍ମୀର ଶ୍ରମିକଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି । ଆତଙ୍କବାଦୀମାନେ ପୁଲୱାମାର ଗଦୂରା ଅଞ୍ଚଳରେ ଶ୍ରମିକଙ୍କ ଉପରକୁ ଗ୍ରେନେଡ ଫିଙ୍ଗିଛନ୍ତି । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୁରକ୍ଷା କର୍ମୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ମୃତ୍ୟୁର ଶିକାର ହୋଇଥିବା ଶ୍ରମିକ ବିହାର ମୂଳ ନିବାସୀ ଥିଲେ । ଆହତମାନଙ୍କୁ ସ୍ଥାନୀୟ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କର ଚିକିତ୍ସା ଜାରି ରହିଛି । ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବାକୁ ୩ ବର୍ଷ ପୂରିଛି । କେନ୍ଦ୍ର ସରକାର ୨୦୧୯ ମସିହା ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ ।
ତେବେ ମୃତ ଶ୍ରମିକଙ୍କ ନାମ ମହମ୍ମଦ ମମତାଜ । ସେ ବିହାରର ସାକୱା ପାରସା ନିବାସୀ ଥିଲେ । ଜମ୍ମୁ କଶ୍ମୀର ପୁଲିସର କହିବା ଅନୁସାରେ ୨ ଆହତ ମଧ୍ୟ ବିହାର ନିବାସୀ ଥିଲେ । ସେଥିରୁ ଜଣେ ମହମ୍ମଦ ଆରିଫ ଓ ଅନ୍ୟଜଣେ ମହମ୍ମଦ ମଜବୁଲ ସାମିଲ ଅଛନ୍ତି । ଏମାନେ ରାମପୁର ଅଞ୍ଚଳରୁ ପୁଲୱାମାକୁ ଯାଇଥିଲେ । ପୁଲିସ କହିଛି ଯେ, ଉଭୟ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଜାରି ଥିବା ବେଳେ, ସେମାନେ ସୁସ୍ଥ ଅଛନ୍ତି ।