ନୂଆଦିଲ୍ଲୀ, ଡିସେମ୍ବର ୦୪ (ଖବର ଓଡ଼ିଶା): ଚାଷୀ ନେତାମାନେ ଶୁକ୍ରବାର ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଘରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୈଠକ କରିଥିଲେ। କିନ୍ତୁ ଏଥିରୁ କୌଣସି ଫଳ ମିଳି ନଥିଲା। ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଫେରାଇ ନେବା ସହ ଚାଷୀଙ୍କ ଦାବିକୁ ନେଇ ହରିୟାଣା ସରକାର ଚାଷୀନେତାଙ୍କୁ ଆଲୋଚନା ପାଇଁ ଡାକିଥିଲେ।
ଚଣ୍ଡୀଗଡ଼ରେ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ବୈଠକ ପାଖାପାଖି ରାତି ୯ଟାରେ ଶେଷ ହୋଇଥିଲା। କିନ୍ତୁ ଏତେ ସମୟ ଯାଏଁ ବୈଠକରେ ଚର୍ଚ୍ଚା ହେବା ପରେ ମଧ୍ୟ କୌଣସି ନିଷ୍ପତ୍ତି ବାହାରି ପାରି ନଥିଲା। ଏହି ବୈଠକ ସଂପର୍କରେ ହରିୟାଣାର ଚାଷୀ ନେତା ଗୁରନାମ ସିଂହ ଚଢୁନୀ କହିଛନ୍ତି ଯେ, ଏତେ ସମୟ ଧରି ବୈଠକ ହେଲା। କିନ୍ତୁ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ସରକାର ନରମ କିମ୍ବା ଗରମ ଦେଖାଇଲେ ନାହିଁ।
ଚାଷୀ ନେତା କହିଛନ୍ତି ଯେ, ଶନିବାର ସିଂଘୁ ସୀମାରେ ଆୟୋଜନ ହେବାକୁ ଥିବା ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକରେ ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ସେ କହିଛନ୍ତି ଯେ, ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଫେରାଇ ନିଆଯାଉ। ଆନ୍ଦୋଳନ ସମୟରେ ମୃତ୍ୟୁ ହୋଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ମିଳୁ ଏବଂ ସରକାର ଚାକିରି ମିଳୁ। କୁଣ୍ଡଳି ସୀମାରେ ସ୍ମାରକ ନିର୍ମାଣ କରନ୍ତୁ ବୋଲି ଚାଷୀ ନେତା ଦାବି କରିଛନ୍ତି।