ନୂଆଦିଲ୍ଲୀ, ମେ ୨୨ (ଖବର ଓଡ଼ିଶା): ଯେକୌଣସି ଦେଶ ହେଉ କି ସମାଜ ହେଉ । ଭାଇ-ଭଉଣୀର ସଂପର୍କ ସବୁଦିନ ପାଇଁ ଅତୁଟ । ଭାଇ ସବୁବେଳେ ଭଉଣୀର ରକ୍ଷା ପାଇଁ ତତ୍ପର ହୋଇଥାଏ । ନିଜର ଜୀବନକୁ ବାଜି ଲଗାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥାଏ । ଏଭଳି ଏକ ଖବର ଉଜ୍ବେକିସ୍ତାନରୁ ଆସିଛି । ୨୫ ବର୍ଷୀୟ ଭାଇ ନିଜର ୯ ବର୍ଷୀୟ ଭଉଣୀର ଜୀବନ ବଞ୍ଚାଇ ପାରିଛି । ଏଥି ପାଇଁ ଭାଇ କିଡନୀ ଦାନ କରିଛି । ଫଳରେ ଭଉଣୀର କିଡ୍ନୀ ପ୍ରତିରୋପଣ କରାଯାଇପାରିଛି ।
ଉଜ୍ବେକିସ୍ତାନର ୨୫ ବର୍ଷୀୟ ଯୁବକ କାୟୁମୋଭା ନିଜର କିଡନୀ ୯ ବର୍ଷୀୟ ଭଉଣୀ ଲୋଲାକୁ ଦାନ କରିଛନ୍ତି । ଲୋଲା ଜନ୍ମରୁ କିଡନୀ ରୋଗରେ ପୀଡିତ ଥିଲା । ଏହା ବ୍ୟତୀତ ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲା । ଏହି କାରଣରୁ ସେ ସେ ଚଲାବୁଲାରେ ଅସମର୍ଥ ଥିଲା । ଉଜବେକିସ୍ତାନରେ ଅନେକ ପରୀକ୍ଷା ପରେ କୌଣସି ହସ୍ପିଟାଲ ଲୋଲାର କିଡନୀଜନିତ ସମସ୍ୟା ଉପରେ ଅବଗତ ହୋଇପାରୁ ନଥିଲେ । ଲୋଲାର ଉଭୟ କିଡନୀ ଆକାର ଛୋଟ ଥିଲା । ଏହା ଠିକ୍ଭାବେ କାମ କରୁ ନଥିଲା । ଏଥିପାଇଁ କ୍ୟାଲସିୟମ କମ ହୋଇଯାଇଥିଲା । ରକ୍ତ କମ ପରିମାଣରେ ତିଆରି ହୋଇପାରୁ ଥିଲା ।
ଗତ ମାର୍ଚ୍ଚ ୨୫ ତାରିଖରେ ତାଙ୍କ ପିତା ନିଜ ଦେଶରେ ଭଲ ଚିକିତ୍ସାର ଅଭାବ କାରଣରୁ ତାଙ୍କୁ ନେଇ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ଯାଞ୍ଚରୁ ଜଣାପଡ଼ିଲା ଯେ, ଲୋଲା କିଡନୀଜନିତ ରୋଗରେ ଆକ୍ରାନ୍ତ ଅଛି । ଏହା ପରେ ଗତ ଏପ୍ରିଲ ୧୪ରେ କିଡ୍ନୀ ପ୍ରତିରୋପଣ କରାଗଲା ।