ବାଂଲାଦେଶ: ନିକଟରେ ବାଂଲାଦେଶର ସାମ୍ବିଧାନିକ ସଂସ୍କାର ଆୟୋଗ ପକ୍ଷରୁ ଏକ ରିପୋର୍ଟ ଦାଖଲ କରାଯାଇଛି, ଯେଉଁଥିରେ ଦେଶର ତିନୋଟି ମୌଳିକ ନୀତି- ଧର୍ମନିରପେକ୍ଷତା, ସମାଜବାଦ ଏବଂ ଜାତୀୟତାବାଦକୁ ହଟାଇବାକୁ ସୁପାରିସ କରାଯାଇଛି। ଏହି ପ୍ରସ୍ତାବ ଆସିବା ପରଠାରୁ ଦେଶ ଏବଂ ଏହାର ପଡ଼ୋଶୀ ଭାରତରେ ଚିନ୍ତା ବଢିଯାଇଛି, କାରଣ ଏହି ନୀତିଗୁଡ଼ିକ ୧୯୭୧ ମୁକ୍ତି ସଂଗ୍ରାମର ମୂଳ ଆଦର୍ଶର ଏକ ଅଂଶ ଥିଲା।
ଦେଶର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ଶେଖ୍ ହସିନା ଛାତ୍ରନେତୃତ୍ୱାଧୀନ ଆନ୍ଦୋଳନ ପରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ନୂଆ ପ୍ରଶାସନ ସାମ୍ବିଧାନିକ ସଂସ୍କାର ଆୟୋଗ ଗଠନ କରିଥିଲା। ଆୟୋଗ ପାଞ୍ଚଟି ନୂତନ ରାଜ୍ୟ ନୀତି ପ୍ରସ୍ତାବ ଦେଇଛି- ସମାନତା, ମାନବିକ ମର୍ଯ୍ୟାଦା, ସାମାଜିକ ନ୍ୟାୟ, ବହୁଳବାଦ ଏବଂ ଗଣତନ୍ତ୍ର, ଯେଉଁଥିରେ କେବଳ ପୂର୍ବ ନୀତିରୁ ଗଣତନ୍ତ୍ର ବଜାୟ ରଖାଯାଇଛି।
ସାମ୍ବିଧାନିକ ସଂସ୍କାର ଆୟୋଗ ଦେଶରେ ଏକ ଦ୍ୱିଗୃହୀୟ ସଂସଦ ପାଇଁ ସୁପାରିସ କରିଛନ୍ତି। ଏଥିରେ ନ୍ୟାସନାଲ ଆସେମ୍ବ୍ଲି ଓ ସିନେଟ୍ ନାମକ ଦୁଇଟି ଗୃହ ରହିବ। ତଳ ଗୃହରେ ୪୦୦ ଓ ଉପର ଗୃହରେ ୧୦୫ ଆସନ ରହିବ ବୋଲି କମିଶନ ପ୍ରସ୍ତାବ ଦେଇଥିଲେ। ଉଭୟ ଗୃହର କାର୍ଯ୍ୟକାଳ ୫ ବର୍ଷରୁ ୪ ବର୍ଷକୁ ହ୍ରାସ କରିବାକୁ ସୁପାରିସ କରାଯାଇଛି।
ଧର୍ମନିରପେକ୍ଷତା ଓ ସମାଜବାଦକୁ ହଟାଇବା ପ୍ରସ୍ତାବକୁ ନେଇ ବାଂଲାଦେଶରେ ବ୍ୟାପକ ବିତର୍କ ଆରମ୍ଭ ହୋଇଛି। ଏହି ନୀତିଗୁଡ଼ିକବାଂଲାଦେଶର ସ୍ୱାଧୀନତା ଏବଂ ସାମାଜିକ ଢାଞ୍ଚାର ମୌଳିକ ସ୍ତମ୍ଭ ବୋଲି ବିବେଚନା କରାଯାଏ । ସେମାନଙ୍କୁ ହଟାଇବା ଦେଶର ଧର୍ମନିରପେକ୍ଷ ଢାଞ୍ଚା ଏବଂ ସାମାଜିକ ନ୍ୟାୟ ଦିଗ ଉପରେ ଗଭୀର ପ୍ରଭାବ ପକାଇପାରେ।
ଗତ ୧୬ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କ୍ଷମତା କ୍ରମାଗତ ଭାବେ କେନ୍ଦ୍ରୀଭୂତ ହୋଇଛି ବୋଲି କମିଶନ ତାଙ୍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି। ଏହାବ୍ୟତୀତ ସଂସ୍ଥାଗତ କ୍ଷମତା ସନ୍ତୁଳନର ଅଭାବ ଦେଶରେ ଅନିୟନ୍ତ୍ରିତ ଏକଛତ୍ରବାଦକୁ ପ୍ରୋତ୍ସାହିତ କରିବାର ଏକ ପ୍ରମୁଖ କାରଣ ପାଲଟିଛି। ଆୟୋଗ ବିଶ୍ୱାସ କରନ୍ତି ଯେ ଏହି ପଦକ୍ଷେପ କ୍ଷମତାର ବିକେନ୍ଦ୍ରୀକରଣ କରିବ ଏବଂ ନିଯୁକ୍ତିରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବ।
ବାଂଲାଦେଶ ସମ୍ବିଧାନରେ ଏପର୍ଯ୍ୟନ୍ତ ୧୭ଟି ସଂଶୋଧନ ହୋଇଛି। ତେବେ ବର୍ତ୍ତମାନର ପ୍ରସ୍ତାବର ଉଦ୍ଦେଶ୍ୟ ହେଉଛି ୧୯୭୧ ମୁକ୍ତି ସଂଗ୍ରାମ ପରେ ସ୍ଥାପିତ ମୌଳିକ ନୀତିଗୁଡ଼ିକୁ ହଟାଇବା, ଯାହା ଦେଶର ଐତିହାସିକ ପରିଚୟରେ ପରିବର୍ତ୍ତନକୁ ସୂଚାଇଥାଏ।