ବେଙ୍ଗାଲୁରୁ: କର୍ଣ୍ଣାଟକର ହମ୍ପିର ପ୍ରସିଦ୍ଧ ବିରୁପାକ୍ଷ ମନ୍ଦିରକୁ ଏବେ କଦଳୀ ଆଣିବା ନିଷିଦ୍ଧ କରାଯାଇଛି। ମନ୍ଦିର ପ୍ରଶାସନ ଏଠାରେ ସ୍ବଚ୍ଛତା ଓ ହାତୀ ‘ଲକ୍ଷ୍ମୀ’ର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନେଇଛି। ପର୍ଯ୍ୟଟକମାନେ ଲକ୍ଷ୍ମୀଙ୍କୁ ଅଧିକ କଦଳୀ ଖାଇବାକୁ ଦେବା ସହ ଫଟୋ ଉଠାଇ ହଇରାଣ କରୁଥିଲେ। ବିଜୟନଗର ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ମନ୍ଦିରକୁ କଦଳୀ ଆଣିବା ଉପରେ କଟକଣା ଜାରି କରାଯାଇଛି। ମନ୍ଦିରର ଆଣ୍ଡୋମେଣ୍ଟ ଅଫିସର ହନୁମନ୍ତପ୍ପା ଗଣମାଧ୍ୟମର ପ୍ରତିନିଧିଙ୍କ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି।
ସେମାନେ ସୂଚନା ଦେଇଛନ୍ତି ଯେ ଅନେକ ପର୍ଯ୍ୟଟକ ମନ୍ଦିରର ୩୬ ବର୍ଷୀୟ ହାତୀ ଲକ୍ଷ୍ମୀଙ୍କୁ କଦଳୀ ଖାଇବାକୁ ଦିଅନ୍ତି। ତାଙ୍କୁ ଖାଇବାକୁ ଦେବା ପରେ ସେମାନେ ପ୍ରାୟତଃ ବଳକା କଦଳୀ ଏବଂ ପ୍ଲାଷ୍ଟିକ ବ୍ୟାଗ୍କୁ ସେଠାରେ ଛାଡି ଦିଅନ୍ତି। ଫଳରେ ମନ୍ଦିର ପରିସର ଅପରିଷ୍କାର ହୋଇଯାଏ। ଏହି ମନ୍ଦିର ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳର ଏକ ଅଂଶ ଅଟେ । ନିକଟରେ କିଛି ପର୍ଯ୍ୟଟକ ଲକ୍ଷ୍ମୀଙ୍କୁ ଜୋରଜବରଦସ୍ତ କଦଳୀ ଖାଇବାକୁ ଦେଇଥିଲେ, ଯାହା ତାଙ୍କୁ ବ୍ୟଥିତ କରିଥିଲା। ଏହି ଘଟଣା ପରେ ମନ୍ଦିର ପ୍ରଶାସନ କଦଳୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛି। ଶ୍ରୀମନ୍ଦିରକୁ ଦୈନିକ ୫ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସୁଛନ୍ତି। ଛୁଟି ଦିନ ଏବଂ ସପ୍ତାହାନ୍ତରେ ଏହି ସଂଖ୍ୟା ୫୦,୦ ରେ ପହଞ୍ଚିପାରେ।
ହନୁମନ୍ତପ୍ପା କହିଛନ୍ତି ଯେ ବିରୁପାକ୍ଷ ମନ୍ଦିର ଦକ୍ଷିଣ କାଶୀ ନାମରେ ମଧ୍ୟ ପରିଚିତ। ଏହା ଏକ ପବିତ୍ର ସ୍ଥାନ। ମନ୍ଦିରର ସ୍ୱଚ୍ଛତା ବଜାୟ ରଖିବାରେ ସହଯୋଗ କରିବାକୁ ସେ ଭକ୍ତମାନଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ମନ୍ଦିର ଏକ ପବିତ୍ର ସ୍ଥାନ ଏବଂ ମୁଁ ତୀର୍ଥଯାତ୍ରୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ମନ୍ଦିରରେ ସ୍ୱଚ୍ଛତା ବଜାୟ ରଖିବାରେ ପ୍ରଶାସନକୁ ସହଯୋଗ କରନ୍ତୁ। ମନ୍ଦିରର ପବିତ୍ରତା ଏବଂ ହାତୀ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି କଟକଣା ଜରୁରୀ। ପର୍ଯ୍ୟଟକମାନେ ଏହି ନିୟମକୁ ପାଳନ କରିବା ସହ ମନ୍ଦିର ପରିସରକୁ ପରିଷ୍କାର ରଖିବାରେ ସାହାଯ୍ୟ କରନ୍ତୁ।