ବାଗପତ: ଉତ୍ତର ପ୍ରଦେଶର ବାଗପତରେ ଜୈନ ନିର୍ବାଣ ମହୋତ୍ସବ ସମୟରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ବରୌତରେ ଆୟୋଜିତ ଜୈନ ନିର୍ବାଣ ମହୋତ୍ସବ ସମୟରେ ଏହି କାର୍ଯ୍ୟକ୍ରମରେ ନିର୍ମିତ ଏକ କାଠ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମହିଳାଙ୍କ ବ୍ୟତୀତ ପୁରୁଷ ଓ ଶିଶୁ ମଧ୍ୟ ଅଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶ୍ରଦ୍ଧାଳୁମାନେ ସ୍ତମ୍ଭ ଉପରେ ଲଡୁ ଅର୍ପଣ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବହୁ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଏସପି ଅର୍ପିତ ବିଜୟବର୍ଗୀୟ ଓ ଅତିରିକ୍ତ ଏସପି ମଧ୍ୟ ଉପସ୍ଥିତ ଅଛନ୍ତି ।
କୁହାଯାଉଛି, ଆଦିନାଥ ଭଗବାନଙ୍କ ନିର୍ବାଣ ପାଇଁ ଲଡୁ ଅର୍ପଣ କରିବା ପାଇଁ ଏଠାରେ କାର୍ଯ୍ୟକ୍ରମ ଚାଲିଥିଲା। ସେହି ସମୟରେ ମଞ୍ଚରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ସେହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ। ବଡ଼ୌତର ଦିଗମ୍ବର ଜୈନ କଲେଜ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ଘଟଣା ପରେ ଏସପି ଅର୍ପିତ ବିଜୟବର୍ଗୀୟ କହିଛନ୍ତି, ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଏହି ଘଟଣାରେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଛି ଲୋକଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ଛାଡ଼ି ଦିଆଯାଇଛି।