ଶ୍ରୀନଗର: ପାକିସ୍ତାନ ସହ ଜାରି ଉତ୍ତେଜନା ଚରମରେ ପହଞ୍ଚିଛି । ଅପରେସନ ସିନ୍ଦୂର ପରେ ହତାଶ ହୋଇ ପଡିଛି ପାକିସ୍ତାନୀ ସେନା । ଆଉ ନିୟନ୍ତ୍ରଣ ରେଖାରେ ଗୁଳିମାଡ କରୁଛି । ଏହିକ୍ରମରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ୫ ଫିଲ୍ଡ ରେଜିମେଣ୍ଟର ଲାନ୍ସ ନାୟକ ଦିନେଶ କୁମାର ଶର୍ମା ସହିଦ ହୋଇଛନ୍ତି।
ଅଧିକାରୀଙ୍କ ଅନୁଯାୟୀ, ହରିୟାଣାର ପଲୱାଲର ମହମ୍ମଦପୁର ଗାଁର ନିବାସୀ ୩୨ ବର୍ଷୀୟ ଜବାନ ଦିନେଶ ଶର୍ମା ନିୟନ୍ତ୍ରଣ ରେଖାରେ ଡ୍ୟୁଟି କରୁଥିଲେ। ପାକିସ୍ତାନ ସେନା ବୁଧବାର ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅବସ୍ଥିତ ଗ୍ରାମଗୁଡ଼ିକୁ ଟାର୍ଗେଟ କରି ପ୍ରବଳ ଗୁଳିମାଡ଼ ଏବଂ ମୋର୍ଟାର ଗୁଳି ଚଳାଇଥିଲେ । ଏହି ଗୁଳିମାଡ଼ରେ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି ।
ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସଇନି ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସିଏମ୍ ସାଇନି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, \"ଅପରେସନ୍ ସିନ୍ଦୁର\" ପରେ, ଆଜି ସକାଳେ ଜମ୍ମୁର ପୁଞ୍ଚରେ, ଭାରତ ମାତାର ସାହସୀ ପୁଅ, ହରିୟାଣାର ପଲୱାଲର ପୁଅ, ଯବାନ ଦିନେଶ କୁମାର ଶର୍ମା ପାକିସ୍ତାନରୁ ଗୁଳିଚାଳନାକୁ ସାହସର ସହିତ ସାମ୍ନା କରି ତାଙ୍କ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଛନ୍ତି। ଦେଶର ପ୍ରତ୍ୟେକ ନାଗରିକ ଆପଣଙ୍କ ସହିଦ ଉପରେ ଗର୍ବିତ। ଏହି ଦେଶ ଆପଣଙ୍କ ବଳିଦାନକୁ କେବେ ଭୁଲିବ ନାହିଁ। ଏହି ସହିଦ ବୀରକୁ ମୋର ପ୍ରଣାମ।