ମଧ୍ୟପ୍ରଦେଶର ସୋହର ଜିଲ୍ଲାରେ ୩ବର୍ଷର ବାଳିକା ସୃଷ୍ଟି ବୋରୱେଲ ଗାତରେ ପଡି ନିଜ ଜୀବନ ହରାଇଛନ୍ତି । ୫୦ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ଶେଷରେ ସୃଷ୍ଟିଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଥିଲା ଉଦ୍ଧାରକାରୀ ଦଳ । ହେଲେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ଏପରି ଅନେକ ଖୋଲା ପଡ଼ିଥିବା ବୋରେୱଲ ଗାତରେ ପଡି ବହୁତ ଜଣକ ଜୀବନ ଗଲାଣି | ଗତ ୪ବର୍ଷ ମଧ୍ୟରେ ବୋରୱେଲ ଗାତରେ ପଡି ୨୮୧ ପିଲାଙ୍କର ଜୀବନ ଯାଇଛି । ହେଲେ ଏତେ ଜୀବନ ଗଲାପରେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ |
ଏହା କେବଳ ସୃଷ୍ଟିର ଜୀବନ ଯିବା କଥା ନୁହେଁ ବରଂ ପ୍ରତିବର୍ଷ ଦେଶରେ ଏଭଳି ଅନେକ ପିଲା ଖୋଲାପଡିଥିବା ବୋରୱେଲ ଗାତରେ ପଡି ମୃତ୍ୟୁବରଣ କରୁଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି ଆଉ କେତେ ଜୀବନ ଗଲାପରେ ସରକାର ଏହା ଉପରେ କଡା ପଦକ୍ଷେପ ନେବେ । କାରଣ ଅଧିକାଂଶ ଲୋକ ବା ଅନେକ ଠିକାଦାର ଗଭୀର ନଳକୂଳ ଖୋଳିବା ବେଳେ ଯଦି କୌଣସି ଅସୁବିଧା ହେଉଛି ତେବେ ଗଭୀର ଗାତକୁ ଖୋଲା ଛାଡି ସେମାନେ ପଳାଇ ଯାଉଛନ୍ତି ଓ ଏହି ଗାତରେ ପଡି ଅନେକ ପିଲାଙ୍କର ଜୀବନ ଯାଉଛି ।
ସୁପ୍ରିମକୋର୍ଟ ୨୦୧୦ ଫେବୃଆରୀ ୧୧ ତାରିଖରେ ବୋରୱେଲ ଗାତରେ ପଡି ମୃତ୍ୟୁ ମାମଲାରେ ଅନେକ ଗାଇଡ ଲାଇନ ଜାରି କରିଥିଲେ । ହେଲେ ଏହାର ପାଳନ କରାଯାଉ ନଥିବା ଦେଖିବାକୁ ମିଳୁଛି । ଏନସିଆରବିର ରିପୋର୍ଟ ମୁତାବକ ସାରା ଦେଶରେ ୨୦୧୮ରୁ ୨୦୨୧ ମଧ୍ୟରେ ଅର୍ଥାତ ୪ବର୍ଷ ମଧ୍ୟରେ ମୋଟ ୨୮୧ ଜଣ ବୋରୱେଲ ଗାତରେ ପଡି ପ୍ରାଣ ହରାଇଛନ୍ତି । ୨୦୧୮ ରେ ବୋରୱେଲ ଗାତରେ ପଡି ପ୍ରାଣ ହରାଇଥିବା ପିଲାଙ୍କ ସଂଖ୍ୟା ୧୨୧, ସେହିଭଳି ୨୦୧୯ ରେ ୬୨, ୨୦୨୦ରେ ୬୫ ଓ ୨୦୨୧ରେ ୩୩ ଅଟେ ।