ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ବିରୋଧରେ ହେଉଥିବା ଅତ୍ୟାଚାର ମଧ୍ୟରେ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର ଚିନ୍ତା ପ୍ରକାଶ କରିଛନ୍ତି । ସେ ବାଂଲାଦେଶ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି, ଯଦି ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହେଉନି ତେବେ କେନ୍ଦ୍ର ସରକାରଙ୍କୁ ଅନ୍ୟ ବିକଳ୍ପ ଉପରେ ବିଚାର କରିବା ଉଚିତ୍ ।
ନାଗପୁରରେ ସକଳ ହିନ୍ଦୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ବେକର କହିଛନ୍ତି, କେନ୍ଦ୍ରକୁ ଏହି ମାମଲାରେ ଅଧିକ ଗମ୍ଭୀରତାର ସହ କାମ କରିବା ଉଚିତ୍ । ମୁଁ ଆଶା କରୁଛି ଯେ, ଏହି ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ ହୋଇପାରେ । ଯଦି ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ନ ବାହାରେ ତେବେ ସରକାରଙ୍କୁ ଅନ୍ୟ ବିକଳ୍ପ ଉପରେ ବିଚାର କରିବା ଉଚିତ୍ ।
ସେ କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସମୁଦାୟ ଉପରେ ଯେଉଁ ଧରଣର ଅତ୍ୟାଚାର ହେଉଛି ଏହା ମୋଗଲ ଶାସନକୁ ମନେ ପକାଇ ଦେଉଛି । ସେଠାରେ ମନ୍ଦିର ଉପରେ ଆକ୍ରମଣ ହେଉଛି । ଲୁଟ୍ ପାଟ୍ କରାଯାଉଛି । ମହିଳାଙ୍କ ଉପରେ ଅତ୍ୟାଚାର କରାଯାଉଛି । ଏହା ସବୁ ଦେଖି ପ୍ରତିଟି ହିନ୍ଦୁ କ୍ଷୁବ୍ଧ ଓ ମର୍ମାହତ । କେବଳ ଘଟଣାକୁ ନିନ୍ଦା କରିବା ଏବଂ ଦୁଃଖିତ ହେଲେ ଚଳିବ ନାହିଁ । ଆମକୁ ବାହାରକୁ ଆସି ଆଗକୁ ବଢିବାର ଆବଶ୍ୟକତା ରହିଛି ।