ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ । ପବନ ସହ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ । ଭୀଷଣ ଗରମରେ ସିଝୁଥିବା ଲୋକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ଆଭ୍ୟନ୍ତରୀଣ ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦରେ ବି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଦିଲ୍ଲୀ-ଏନସିଆର ଆକାଶ ମେଘାଚ୍ଛନ୍ନ ଥିବାବେଳେ ବର୍ଷା ଲାଗି ରହିଥିବା ସୂଚନା ମିଳିଛି । କେତେକ ସ୍ଥାନରେ ଘଣ୍ଟା ପ୍ରତି ପ୍ରାୟ ୭୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆକାଶରେ ବାଗଲ ଛାଇ ହୋଇ ରହିଥିବାରୁ ବିମାନ ଉଡାଣରେ ପ୍ରଭାବ ପଡିପାରେ । ଦିଲ୍ଲୀକୁ ଆସିବାକୁ ଥିବା ଚାରୋଟିି ବିମାନର ଗତିପଥ ବହଳିପାରେ । ଦିଲ୍ଲୀ ଆଇଜିଆଇ ବିମାନବନ୍ଦର ନିକଟରେ ଘଣ୍ଟାପ୍ରତି ୬୫ରୁ ୭୦କିମି ବେଗରେ ପବନ ବହୁଥିବା ବେଳେ ବର୍ଷା ଜାରି ରହିଛି । ଖରାପ ପାଗ କାରଣରୁ ଦିଲ୍ଲୀ ବିମାନବନ୍ଦରରେ ବିମାନ ସେବା ପ୍ରବାବିତ ହୋଇପାରେ ବୋଲି କୁହାଯାଇଛି । ଚଳିତ ସପ୍ତାହରେ ଦିଲ୍ଲୀର ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ହୋଇଥିବାରୁ ଜନଜୀବନ ବ୍ୟାପକ ପ୍ରଭାବିତ ହୋଇଥିଲା । ତେବେ ଭୀଷଣ ବର୍ଷା ଯୋଗୁ ତାତିରୁ ଆଶ୍ବସ୍ତି ମିଳିଛି । ସେପଟେ ହିମାଚଳ ପ୍ରଦେଶର ଲାଉଲ, ସ୍ପିତି ଓ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଦେଖାଯାଇଛି