ଦେଶରେ ପର୍ଯ୍ୟାୟକ୍ରମେ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି । ତେବେ ନିର୍ବାଚନ ସମୟରେ ଚାରିଆଡେ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବ୍ୟାପକ ମାତ୍ରାରେ ନଗଦ ଅର୍ଥ କାରବାର ହୋଇଥାଏ । ହେଲେ ବର୍ତ୍ତମାନ ଅଧିକାଂଶ ପେମେଣ୍ଟ କାରବାର ଅନ୍ଲାଇନ୍ ଜରିଆରେ କରାଯାଉଥିବାରୁ ନିର୍ବାଚନରେ ମଧ୍ୟ ରାଜନୈତିକ ଦଳଗୁଡିକ ଦ୍ୱାରା ଏହି ମାଧ୍ୟମରେ ଅର୍ଥ କାରବାର ହେବା ନେଇ ନିର୍ବାଚନ ଆୟୋଗ ଆଶଙ୍କାବ୍ୟକ୍ତ କରିଛନ୍ତି । ଏଥିପାଇଁ ବର୍ତ୍ତମାନ ନିର୍ବାଚନ ଆୟୋଗ କେବଳ ନଗଦ ଟଙ୍କା ନୁହେଁ ଅନ୍ଲାଇନ୍ ଜରିଆରେ ହେଉଥିବା ପେମେଣ୍ଟ ଉପରେ ମଧ୍ୟ କଡ଼ା ନଜର ରଖିଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଚଳିତମାସ ୧୫ରେ ପେମେଣ୍ଟ ସିଷ୍ଟମ୍ ଅପରେଟର (ପିଓଏସ୍)ମାନଙ୍କୁ ଚିଠି ଲେଖି ନିର୍ବାଚନ ଉଚ୍ଚ ମୂଲ୍ୟର ଅନ୍ ଲାଇନ୍ ପେମେଣ୍ଟ କାରବାର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ରାଜନୈତିକ ଦଳଗୁଡିକ ବିଭିନ୍ନ ପେମେଣ୍ଟ ପଦ୍ଧତି ବ୍ୟବହାର କରିପାରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ଦେଇଥିବା ନିର୍ଦ୍ଦେଶ ମୁତାବକ ଅନ୍ଲାଇନ୍ ପେମେଣ୍ଟ କମ୍ପାନୀଗୁଡିକ ଉଚ୍ଚ ମୂଲ୍ୟ କିମ୍ବା ସନ୍ଦେହଜନକ ଦେୟଗୁଡିକୁ ନିର୍ଦ୍ଦିଷ୍ଟ ଭାବରେ ଟ୍ରାକ୍ କରିବା ଉଚିତ୍ । ଏହାବ୍ୟତୀତ ବାରମ୍ବାର ବ୍ୟକ୍ତିବିଶେଷଙ୍କ ଦ୍ୱାରା କରାଯାଉଥିବା ଅନ୍ଲାଇନ୍ ପେମେଣ୍ଟକୁ ମଧ୍ୟ ଯାଞ୍ଚ କରାଯାଇପାରିବ । ସୂଚନାଯୋଗ୍ୟ ଯେ ପିଓଏସ୍ରେ ଭିସା, ମାଷ୍ଟରକାର୍ଡ ଏବଂ ରୁପେ ଭଳି ନେଟୱାର୍କ ଅନ୍ତର୍ଭୁକ୍ତ । ଏଡାଛଡା ପେଟିଏମ୍, ଫୋନ୍ ପେ’, ଭାରତ ପେ’ ଭଳି କମ୍ପାନୀଗୁଡିକ ହେଉଛନ୍ତି ମୋବାଇଲ୍ ୱାଲେଟ୍ ଲାଇସେନ୍ସଧାରୀ । ପେମେଣ୍ଟ କମ୍ପାନୀଗୁଡ଼ିକ ଦ୍ୱାରା ହେଉଥିବା ସନ୍ଦେହଜନକ କାରବାର ଉପରେ ନଜର ରଖିବାକୁ ଏବଂ ସଂପୃକ୍ତ ଅଧିକାରୀଙ୍କ ନିକଟରେ ଏ ସମ୍ପର୍କରେ ରିପୋର୍ଟ କରିବାକୁ କେନ୍ଦ୍ରୀୟ ବ୍ୟାଙ୍କ ଅପରେଟରମାନଙ୍କୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ : ପୋଲିସ ଗାଡ଼ିରୁ ହଟିବ ହଳଦିଆ ଲାଇଟ