ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଯାତ୍ରା ସମୟରେ ଦୁଇ ଦେଶ ମଧ୍ୟରେ ବହୁତ ବଡ ଡିଫେନ୍ସ ଡିଲ୍ ଅର୍ଥାତ ପ୍ରତିରକ୍ଷା ଚୁକ୍ତିନାମା ହେବାକୁ ଯାଉଛି । ଏଥିରେ ଏସୟୁ-୫୭ ଲଢୁଆ ବିମାନ ଓ ଆଡଭାନ୍ସ ଏସ-୫୦୦ ମିସାଇଲ ଡିଫେନ୍ସ ସିଷ୍ଟମକୁ ନେଇ ଗୁରୁତର ସହ ଆଲୋଚନା ହୋଇପାରେ । ଆମେରିକାର ଅସନ୍ତୋଷ ସତ୍ତ୍ୱେ ବି ଭାରତ ଓ ରୁଷ ମଧ୍ୟରେ ରଣନୈତିକ ସମ୍ବନ୍ଧ ଲଗାତାର ମଜବୁତ ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ପରେ ଏବେ ପାରସ୍ପରିକ ସହଯୋଗରେ ସାମରିକ ଶକ୍ତି ବଢାଇବାକୁ ଦୁଇ ଦେଶ ପୂରା ପ୍ରସ୍ତୁତ ।
ଭାରତର ବାୟୁସେନା ସଂପ୍ରତି ଲଢୁଆ ବିମାନର ଅଭାବର ସାମ୍ନା କରୁଛି । ଏଥିପାଇଁ ଭାରତ ପାଇଁ ଏହି ଡିଲ୍ ଜରୁରୀ । ରୁଷର ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଟ ଇନଷ୍ଟିଚ୍ୟୁଟ୍ ଆଜି ବି ଭାରତକୁ ସବୁଠୁ ଅଧିକ ମିଲିଟାରୀ ହାର୍ଡୱେର ଯୋଗାଉଛି । ଭାରତ ଆମେରିକା, ଫ୍ରାନ୍ସ ସମେତ ଅନ୍ୟ ଦେଶ ସହ ଅସ୍ତ୍ରଶସ୍ତର ଡିଲ୍ କରିଛି । ହେଲେ ରୁଷ ଭାରତ ପାଇଁ ସବୁଠୁ ବଡ ହତିଆର ଯୋଗାଣକାରୀ ରାଷ୍ଟ୍ର ଭାବେ ଆଗରେ ଅଛି ।
ରିପୋର୍ଟ ଅନୁଯାୟୀ, ଭାରତ ଆଲୋଚନାରେ ଅପରେସନ ସିନ୍ଦୂର ସମୟରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥିବା ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ର ଆଉ ପାଞ୍ଚ ସ୍କ୍ୱାଡ୍ରନ କିଣିବା ବିଷୟରେ ଆଲୋଚନା କରିବ । ପୁଟିନ ୨୩ତମ ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ଦିନିଅ।। ଯାତ୍ରାରେ ଡିସେମ୍ବର ୪ରେ ଭାରତ ଆସିବେ । ପିଏମ ମୋଦୀ ଓ ରାଷ୍ଟ୍ରପତି ପୁଟିନଙ୍କ ଆଲୋଚନା ସମୟରେ ପ୍ରତିରକ୍ଷାରେ ଆଉ ଏକ ବଡ ଡିଲ୍ ହେବ ।
ସୂଚନାଯୋଗ୍ୟ, ଆମେରିକାର ଚାପ ସତ୍ତ୍ୱେ ଭାରତ ଓ ରୁଷ ସଂପର୍କ ଉପରେ କୌଣସି ପ୍ରଭାବ ପଡିନାହିଁ । ଓଲଟା ଦୁଇ ଦେଶ ଆହୁରି ଆଗକୁ ବଢିବାକୁ ଉଦ୍ୟମ ଜାରି ରଖିଛନ୍ତି । ଭାରତର କହିବା କଥା ଦେଶବାସୀଙ୍କ ହିତ ପାଇଁ ଯାହା ଦରକାର ତାହା କରାଯିବ । ଆମେରିକା ରୁଷଠୁ ଅଶୋଧିତ ତୈଳ ଆମଦାନୀ କମ କରିବା ପାଇଁ ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ ଲଗାଇଛି ।
Also read: ଅଡୁଆରେ କେରଳର ସିଏମ ପିନାରାଇ ବିଜୟନ, ୪୬୬ କୋଟି ଅନିୟମିତତା ମାମଲାରେ ନୋଟିସ୍ ଜାରି କଲା ଇଡି