ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ନୂଆବର୍ଷ ପାଳନ ଆରମ୍ଭ ହୋଇଯିବ। ଏଥି ପାଇଁ ପୂରା ବିଶ୍ବରେ ନିଜନିଜ ଶୈଳୀରେ ପ୍ରସ୍ତୁତି ଜାରି ରହିଛି। ଉତ୍ସବ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ବେଙ୍ଗାଲୁରୁରେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ସର୍ବସାଧାରଣ ସ୍ଥାନରେ ନୂଆବର୍ଷ ପାଳନରେ ଯୋଗ ଦେଉଥିବା ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି।
ବେଙ୍ଗାଲୁରୁ ପୁଲିସ ମଧ୍ୟ ଏକ ବିବୃତି ଜାରି କରି ସାର୍ବଜନୀନ ସ୍ଥାନରେ ସିଟି ବଜାଇବା ଉପରେ ପ୍ରତିବନ୍ଧକ ଲଗାଇଛି। ନୂଆବର୍ଷ ପାଳନ କରିବା ପାଇଁ ପୂରା ବେଙ୍ଗାଲୁରୁ ସଜ୍ଜିତ ହୋଇଛି। ସୁରକ୍ଷା ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାରେ ସରକାର ଓ ପୁଲିସ ବ୍ୟସ୍ତ ଅଛନ୍ତି। ପ୍ରତିବର୍ଷ ଏମ୍ଜି ରୋଡ୍ରେ ଲକ୍ଷଲକ୍ଷ ଲୋକ ନୂଆବର୍ଷ ପାଳନରେ ଯୋଗ ଦେବା ପାଇଁ ଏକାଠି ହୁଅନ୍ତି। ୨ ହଜାରରୁ ଅଧିକ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଯାନବାହନ ଚଳାଚଳକୁ ସୁରୁଖୁରୁରେ ଚଳାଇବା ପାଇଁ ଦିଲ୍ଲୀ ଟ୍ରାଫିକ୍ ପୁଲିସ ପ୍ରାୟ ୨,୫୦୦ କର୍ମଚାରୀଙ୍କୁ ନିୟୋଜିତ କରିଛି। ଦିଲ୍ଲୀ ପୁଲିସର ଆଡଭାଇଜରୀ ଅନୁଯାୟୀ, ମଣ୍ଡି ହାଉସ, ବଙ୍ଗଳା ମାର୍କେଟ ଏବଂ ଅନ୍ୟାନ୍ୟ ପ୍ରମୁଖ ଛକ ବାହାରେ କର୍ଣ୍ଣଟ୍ ପେଲେସ୍ ଅଞ୍ଚଳକୁ କୌଣସି ଗାଡି ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି ଅଞ୍ଚଳ କେବଳ ବୈଧ ପାସ୍ ଥିବା ଗାଡ଼ିଗୁଡ଼ିକ କର୍ଣ୍ଣଟ୍ ପେଲେସ୍ର ଭିତର, ମଧ୍ୟମ କିମ୍ବା ବାହ୍ୟ ସର୍କଲରେ ପ୍ରବେଶ କରିବା ପାଇଁ ଖୋଲା ରହିବ। କିଛି ଅଞ୍ଚଳରେ ପାର୍କିଂ ମଧ୍ୟ ସୀମିତ ରହିବ। ସେହିପରି ଗୋଲେ ଡାକଘର, ପଟେଲ ଛକ ଓ ମଣ୍ଡି ହାଉସ ନିକଟରେ ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରାଯାଇଛି।
ମୁମ୍ବାଇରେ ନୂଆବର୍ଷ ପାଳନ ପାଇଁ ଦକ୍ଷିଣ ମୁମ୍ବାଇରେ କୌଣସି ପାର୍କିଂ ଜୋନ୍ ରହିବ ନାହିଁ ଏବଂ କେତେକ ରାସ୍ତା ବନ୍ଦ ରହିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ପୁଲିସ ସେବା ସମେତ ଜରୁରୀକାଳୀନ ଗାଡ଼ି ବିନା କୌଣସି କଟକଣାରେ ଚଳାଚଳ କରିପାରିବେ। ଡିସେମ୍ବର ୩୧ ତାରିଖ ଅପରାହ୍ନ ୩ଟାରୁ ଜାନୁଆରି ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଅନେକ ପ୍ରମୁଖ ରାସ୍ତାରେ ସମସ୍ତ ଗାଡ଼ି ପାର୍କିଂ ନିଷେଧ ରହିବ। ସେଗୁଡ଼ିକ ହେଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ରୋଡ୍, ବାରିଷ୍ଟର ରଜନୀ ପଟେଲ ମାର୍ଗ, ମାଡାମ୍ କାମା ରୋଡ୍, ରାମନାଥ ଗୋଏଙ୍କା ମାର୍ଗ, ଦିନଶା ୱାଚା ରୋଡ୍, ବୀର ନରିମାନ ରୋଡ୍, ମହର୍ଷି କର୍ଭେ ରୋଡ୍, ବିନୟ କେ ଶାହା ରୋଡ୍, ମହାତ୍ମା ଗାନ୍ଧୀ ରୋଡ୍।