ଢାକା: ଦୁର୍ଗାପୂଜା ସମୟରେ ଅଶାନ୍ତି ସୃଷ୍ଟି କରୁଥିବା ଲୋକଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର କଡ଼ା ଚେତାବନୀ ଦେଇଛନ୍ତି। ଦୁର୍ଗାପୂଜା ସମୟରେ ସାମ୍ପ୍ରଦାୟିକ ସଦଭାବନା ଭଙ୍ଗ କରିବାକୁ ଚେଷ୍ଟା କରୁଥିବା କିମ୍ବା ହିନ୍ଦୁ ପର୍ବପର୍ବାଣୀ ସମୟରେ ଧର୍ମାନୁଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଲୋକଙ୍କୁ ସରକାର ଛାଡ଼ିବେ ନାହିଁ ବୋଲି କହିଛନ୍ତି। ଦୁର୍ଗାପୂଜା ସମୟରେ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ମନ୍ଦିରର ସୁରକ୍ଷା ପାଇଁ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରବିବାର ଦିନ ବାଂଲାଦେଶର ଧାର୍ମିକ ବ୍ୟାପାର ପରାମର୍ଶଦାତା ଅବୁଲ ଫୈଜ ମହମ୍ମଦ ଖାଲିଦ ହୁସେନ କାଳୀ ମନ୍ଦିର ପରିଦର୍ଶନ କରିଥିଲେ। ଯଦି କେହି ଉପାସନା ସ୍ଥଳରେ ବିଶୃଙ୍ଖଳା ସୃଷ୍ଟି କରନ୍ତି କିମ୍ବା ପୂଜା କରୁଥିବା ଲୋକଙ୍କୁ ହଇରାଣ କରନ୍ତି, ତେବେ ଆମେ ସେମାନଙ୍କୁ ଛାଡିବୁ ନାହିଁ। ଆମେ ସେମାନଙ୍କୁ ଆଇନ ପରିସରଭୁକ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ| ଏଥର ନବରାତ୍ରୀ ଅକ୍ଟୋବର ୩ରୁ ଆରମ୍ଭ ହୋଇ ଅକ୍ଟୋବର ୧୨ରେ ଶେଷ ହେବ ବୋଲି ସେ କହିଛନ୍ତି ବାଂଲାଦେଶରେ ଅକ୍ଟୋବର ୮ ଓ ୯ ତାରିଖରେ ଦୁର୍ଗାପୂଜା ପାଳିତ ହେବ।
ମନ୍ଦିର ପରିଦର୍ଶନ ସମୟରେ ଖାଲିଦ ହୁସେନ ହିନ୍ଦୁ ସମ୍ପ୍ରଦାୟକୁ ହିନ୍ଦୁ ପର୍ବପର୍ବାଣୀକୁ ଉତ୍ସାହର ସହ ପାଳନ କରିବାକୁ ଅନୁରୋଧ କରିଥିଲେ। ତାଙ୍କ ମନ୍ଦିରର କୌଣସି କ୍ଷତି ହେବାକୁ ଦିଆଯିବ ନାହିଁ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ଆପଣ ନିଜ ମନ୍ଦିରର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି, ତେବେ ନିଶ୍ଚିତ ରୁହନ୍ତୁ, କୌଣସି ଅପରାଧୀ ସଫଳ ହେବେ ନାହିଁ। ମନ୍ଦିରର ସୁରକ୍ଷା ପାଇଁ ସ୍ଥାନୀୟ ଲୋକଙ୍କ ସହ ମଦ୍ରାସା ଛାତ୍ରଛାତ୍ରୀଙ୍କୁ ନିୟୋଜିତ କରାଯାଇଛି। ଆମର ଧାର୍ମିକ ପର୍ବ ପାଳନରୁ ଆମକୁ କେହି ଅଟକାଇ ପାରିବେ ନାହିଁ।
ଅନ୍ତରୀଣ ସରକାର ବାଂଲାଦେଶକୁ ଏକ ଭେଦଭାବ ମୁକ୍ତ ଓ ସାମ୍ପ୍ରଦାୟିକ ମୁକ୍ତ ଦେଶରେ ପରିଣତ କରିବାକୁ ଚାହୁଁଛନ୍ତି। ଏକ ସୁରକ୍ଷିତ ଓ ସମୃଦ୍ଧ ସମାଜ ଗଠନ କରିବା ଆମର ଲକ୍ଷ୍ୟ। ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଦୁର୍ଗାପୂଜା ନେଇ ଶନିବାର ରାଜସାହି ସର୍କିଟ ହାଉସରେ ଅନ୍ତରୀଣ ସରକାରଙ୍କ ପରାମର୍ଶଦାତା ଏକ ବୈଠକ ମଧ୍ୟ କରିଥିଲେ।
ଅଧିକ ପଢ଼ନ୍ତୁ: ୬ ଷଡ଼ଯନ୍ତ୍ରକାରୀଙ୍କ ସମେତ ୩୩ ଜଣ ଗିରଫ