ସୁରଟ: ଗଣେଶ ପର୍ବ ଚାଲିଥିବା ବେଳେ ରବିବାର ବିଳମ୍ବିତ ରାତିରେ ସୁରଟର ଏକ ଗଣେଶ ମଣ୍ଡପ ଉପରକୁ କିଛି ଲୋକ ପଥର ଫିଙ୍ଗିଛନ୍ତି। ସୟଦପୋରା ଅଞ୍ଚଳରେ ଏହି ଘଟଣା ଘଟିଛି। ପଥର ମାଡ଼ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ପଥର ମାଡ଼ ପ୍ରତିବାଦରେ ବହୁ ସଂଖ୍ୟକ ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ।ଶାନ୍ତି ପାଇଁ ନିବେଦନ କରୁଥିବା ସ୍ଥାନୀୟ ବିଧାୟକ କାନ୍ତି ବଳିଆରଙ୍କୁ ମଧ୍ୟ ଭିଡ଼ ମାଡ଼ ମାରିଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ପୁଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା।
ସୁରଟ ପୁଲିସ କମିସନର ଅନୁପମ ସିଂହ ଗେହଲଟ କହିଛନ୍ତି, ଗଣେଶ ମଣ୍ଡପରେ କିଛି ପିଲା ପଥର ଫିଙ୍ଗିବା ରୁ ସଂଘର୍ଷ ହୋଇଥିଲା। ପୁଲିସ ତୁରନ୍ତ ପିଲାମାନଙ୍କୁ ସେଠାରୁ ହଟାଇ ଦେଇଥିଲା। ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଥିଲା। ଆବଶ୍ୟକ ସ୍ଥଳେ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ଶାନ୍ତି ଭଙ୍ଗ କରିଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉଛି। ଏହି ଅଞ୍ଚଳରେ ପାଖାପାଖି ୧୦ ପୁଲିସ ମୁତୟନ ହୋଇଛନ୍ତି। ଆଉ ଏଠାରେ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଅଛନ୍ତି।
ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଂଘଭି କହିଛନ୍ତି, ଆଜି ସୁରଟର ସୟଦପୁରା ଅଞ୍ଚଳରେ ଥିବା ଗଣେଶ ମଣ୍ଡପ ଉପରକୁ ୬ ଜଣ ଲୋକ ପଥର ମାଡ଼ କରିଛନ୍ତି। ଏହି ୬ ଜଣଙ୍କୁ ଗିରଫ କରାଯିବା ସହ ଏଭଳି ଘଟଣାକୁ ପ୍ରୋତ୍ସାହନ ଦେବାରେ ସମ୍ପୃକ୍ତ ଥିବା ଅନ୍ୟ ୨୭ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତଦନ୍ତ ଜାରି ରହିଛି। ସୁରଟର ସମସ୍ତ ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି। ଯେଉଁମାନେ ଶାନ୍ତି ଭଙ୍ଗ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ: କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି