ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଥିବା ଆମ୍ ଆଦମୀ ପାର୍ଟି (ଆପ୍)ର କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଘର ମାଲିକ। ୩ ମାସ ହେଲା ଅଫିସ ଭଡ଼ା ପୈଠ ହୋଇନଥିବାରୁ ଅଫିସ୍ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି ଘର ମାଲିକ। ଭୋପାଳରେ ଆପ୍ କାର୍ଯ୍ୟାଳୟ ଏକ ଭଡ଼ା ସମ୍ପତ୍ତିରୁ ଚାଲୁଥିଲା।
ମଧ୍ୟପ୍ରଦେଶ ଆପ୍ର ଯୁଗ୍ମ ସମ୍ପାଦକ ରମାକାନ୍ତ ପଟେଲ ଫୋନ୍ରେ ଗଣମାଧ୍ୟମକୁ କହିଛନ୍ତି, "ଯେତେବେଳେ ଆମେ ସଚ୍ଚୋଟ ଭାବରେ କାମ କରୁ, ସେତେବେଳେ ଏସବୁ ହୋଇଥାଏ। ପରିସ୍ଥିତିରେ ସୁଧାର ଆସିବ। ଆମେ ସଚ୍ଚୋଟ। ବର୍ତମାନ ଆମ ଦଳ ପାଖରେ ପାଣ୍ଠି ନାହିଁ। ତେଣୁ ଆମେ ଏହା କରିପାରିବୁ ନାହିଁ। ପଟେଲ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ସ୍ଥାନୀୟ ପାଣ୍ଠିରୁ ଦଳର କାର୍ଯ୍ୟକଳାପ ପରିଚାଳନା କରନ୍ତି। ସେମାନଙ୍କ କର୍ମଚାରୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ।
ମଧ୍ୟପ୍ରଦେଶରେ ଆପ୍ର ପୂର୍ବତନ ମୁଖପାତ୍ର କହିଛନ୍ତି ଯେ ସେ କାର୍ଯ୍ୟାଳୟ ଭଡ଼ା ରାଶି ଏବଂ ପୈଠ ନକରିବା ବିଷୟରେ ଅବଗତ ନୁହଁନ୍ତି। ଅନ୍ୟପକ୍ଷରେ ବିଜେପି ମୁଖପାତ୍ର ନରେନ୍ଦ୍ର ସାଲୁଜା ଏକ୍ସରେ ଲେଖିଛନ୍ତି, 'ମଧ୍ୟପ୍ରଦେଶରେ ଆପ୍ କାର୍ଯ୍ୟାଳୟରେ ତାଲା ପଡ଼ିଛି।
ଗତ ମାସରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ଶୋଚନୀୟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଠାରେ ବିଜେପି ପ୍ରାୟ ୨୭ ବର୍ଷ ପରେ ବିପୁଳ ସଂଖ୍ୟାଗରିଷ୍ଠତା ସହ ସରକାର ଗଠନ କରିଥିଲା।
ଆମ୍ ଆଦମୀ ପାର୍ଟି ତୃତୀୟ ଥର ପାଇଁ କ୍ଷମତା ବଜାୟ ରଖିପାରିନାହିଁ। ଦଳର ସବୁଠାରୁ ବଡ ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଡେପୁଟି ସିଏମ୍ ମନୀଷ ସିସୋଦିଆ ମଧ୍ୟ ନିର୍ବାଚନ ଜିତି ପାରିନଥିଲେ। ଦିଲ୍ଲୀ ବିଧାନସଭାରେ ମୋଟ ୭୦ଟି ଆସନ ରହିଛି। ବିଜେପି ୪୮ଟି ଆସନ ରେ ବିଜୟୀ ହୋଇଥିବା ବେଳେ ଆପ୍ ମାତ୍ର ୨୨ଟି ଆସନ ରେ ବିଜୟୀ ହୋଇଥିଲା। କ୍ରମାଗତ ତୃତୀୟ ଥର ପାଇଁ କଂଗ୍ରେସ ଖାତା ଖୋଲିନଥିଲା।
ଅଧିକ ପଢ଼ନ୍ତୁ: ଆମେରିକୀୟ ରାଷ୍ଟ୍ରପତିଙ୍କ ରିସୋର୍ଟ ଉପରେ ୩ଟି ବିମାନ ଉଡ଼ିଲା