ପୁଣି ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ନଗର ନିଗମର ମେୟର, ଉପ ମେୟର ଓ ସ୍ଥାୟୀ ସମିତିର ୬ଜଣ ସଦସ୍ୟଙ୍କ ପ୍ରତିଷ୍ଠିତ ପଦପାଇଁ ନିର୍ବାଚନ ହେବାକୁ ଥିଲା । ଏହି ନିର୍ବାଚନ ରେ ୨୫୦ଜଣ ନିର୍ବାଚିତ ସଦସ୍ୟ ଶପଥ ନେଇସାରିଥିଲେ । କିନ୍ତୁ, ଭୋଟିଂ ଆରମ୍ଭ ହେବା ପୂର୍ବରୁ ଉଭୟ ପକ୍ଷ ନାରାବାଜୀ କରିବାରୁ ଗୃହ କାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଗୃହ ଠିକ ଭାବେ ଚାଲିବାକୁ କର୍ପୋରେଟମାନେ ନ ଦେବାରୁ ମେୟର କିମ୍ବା ଡେପୁଟି ମେୟର ପଦ ପାଇଁ ନିର୍ବାଚନ ହୋଇପାରିନି। ହଟ୍ଟଗୋଳ ପୂର୍ବରୁ ପ୍ରିଜାଇଡିଂ ଅଫିସର ସତ୍ୟ ଶର୍ମା ପ୍ରଥମେ ରାଜ୍ୟପାଳଙ୍କ ଦ୍ୱାରା ଏମସିଡିକୁ ମନୋନୀତ ହୋଇଥିବା ୧୦ ଜଣ ସଦସ୍ୟମାନଙ୍କୁ ଶପଥପାଠ କରାଥିଲେ। ଏହାପରେ ନିର୍ବାଚିତ କର୍ପୋରେଟରମାନେ ଶପଥ ନେଇଥିଲେ। ଏହାକୁ ଆପ୍ର ସଦସ୍ୟମାନେ ବିରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
ଶପଥ ପାଠ କାର୍ଯ୍ୟକ୍ରମ ପରେ ମେୟର ଓ ଡେପୁଟି ମେୟର ପଦ ପାଇଁ ନିର୍ବାଚନ ଆରମ୍ଭ କରିବାକୁ ପ୍ରିକ୍ରିୟା ଆରମ୍ଭ କରାଯାଇଥିଲା ବେଳେ ଆପ୍ କର୍ପୋରେଟର ମୁକେଶ ଗୋଏଲ ଆପତ୍ତି ଉଠାଇବା ସହ ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେବାର କୌଣସି ଅଧିକାର ପାଇ ନଥିବା କହିଥିଲେ। ଏଥିସହ ମନୋନୀତ ସଦସ୍ୟମାନେ ଗୃହ ବାହାରକୁ ଯିବା ଦରକାର ବୋଲି ଦାବି କରିଥିଲେ।