ପୁଣେ: ମହାରାଷ୍ଟ୍ରର ପୁଣେରେ ଗୁଇଲେନ୍-ବୈରେ ସିଣ୍ଡ୍ରୋମ୍ (ଜିବିଏସ୍) ରୋଗକୁ ନେଇ ଲୋକଙ୍କ ମନରେ ଭୟ ଜାତ ହୋଇଛି। ଏବେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ (ସିଏ)ଙ୍କ ମୃତ୍ୟୁ ଘଟିଥିବା ନେଇ ଚର୍ଚ୍ଚା ହେଉଛି। ସେ କିଛି ଦିନ ତଳେ ସୋଲାପୁର ଜିଲ୍ଲାର ନିଜ ଗାଁକୁ ଯାଇଥିଲେ, ସେବେଠାରୁ ସେ ଝାଡ଼ାବାନ୍ତିରେ ପୀଡ଼ିତ ଥିଲେ। ଦୁର୍ବଳତା ବଢ଼ିବା ପରେ ସେ ସୋଲାପୁରର ଏକ ଘରୋଇ ଡାକ୍ତରଖାନାରେ ପହଞ୍ଚି ଜିବିଏସ୍ ପାଇଥିଲେ। ଶନିବାର ସିଏଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ତାଙ୍କୁ ଆଇସିୟୁରୁ ବାହାର କରାଯାଇଥିଲା, କିନ୍ତୁ କିଛି ସମୟ ପରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଜଣେ ମହିଳା ରୋଗୀଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ୬୪ ବର୍ଷୀୟା ମହିଳା ପିମ୍ପରୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟର ଯଶବନ୍ତରାଓ ଚୌହାନ ମେମୋରିଆଲ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।
ପୁଣେରେ ବର୍ତ୍ତମାନ ସୁଦ୍ଧା ୧୦୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ତଦନ୍ତ ପାଇଁ କେନ୍ଦ୍ର ଏକ ଟିମ୍ ପୁଣେ ପଠାଇଛି। ପୁଣେ ମହାନଗର ନିଗମର କମଳା ନେହେରୁ ହସ୍ପିଟାଲରେ ଜିବିଏସ୍ ରୋଗୀଙ୍କ ମାଗଣା ଚିକିତ୍ସା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ରବିବାର କହିଛନ୍ତି।
ଜିବିଏସ୍ ରୋଗରେ ପୀଡ଼ିତ ୧୬ ଜଣ ରୋଗୀ ଏବେ ଭେଣ୍ଟିଲେଟରରେ ଅଛନ୍ତି। ଲକ୍ଷଣ ଥିବା ପ୍ରାୟ ୧୯ ଜଣଙ୍କ ବୟସ ୯ ବର୍ଷରୁ କମ୍ ହୋଇଥିବା ବେଳେ ୫୦ରୁ ୮୦ ବର୍ଷ ବୟସ ବର୍ଗର ୨୩ ଜଣ ଆକ୍ରାନ୍ତ ଅଛନ୍ତି। ଜାନୁଆରୀ ୯ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ରୋଗୀଙ୍କ ପୁଣେ କ୍ଲଷ୍ଟରରେ ପ୍ରଥମ ଜିବିଏସ୍ ମାମଲା ଥିବା ସନ୍ଦେହ କରାଯାଉଛି।
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଠାରୁ ନିଆଯାଇଥିବା କେତେକ ଜୈବିକ ନମୁନାରେ କ୍ୟାମ୍ପିଲୋବାକ୍ଟର ଜେଜୁନି ବ୍ୟାକ୍ଟେରିଆ ଥିବା ପରୀକ୍ଷାରୁ ଜଣାପଡ଼ିଛି। ସି ଜେଜୁନି ବିଶ୍ୱବ୍ୟାପୀ ଜିବିଏସର ପ୍ରାୟ ଏକ ତୃତୀୟାଂଶ ମାମଲା ସୃଷ୍ଟି କରେ ଏବଂ ସବୁଠାରୁ ଗମ୍ଭୀର ସଂକ୍ରମଣ ପାଇଁ ମଧ୍ୟ ଦାୟୀ। ଅଧିକାରୀମାନେ ପୁଣେ ପାଣିର ନମୁନା ନେଉଛନ୍ତି, ବିଶେଷକରି ଯେଉଁ ଅଞ୍ଚଳରେ ମାମଲା ସାମ୍ନାକୁ ଆସୁଛି।
ପରୀକ୍ଷଣର ଫଳାଫଳରୁ ଜଣାପଡିଛି ଯେ ପୁଣେର ମୁଖ୍ୟ ଜଳଭଣ୍ଡାର ଖଡକୱାସଲା ଡ୍ୟାମ୍ ନିକଟରେ ଥିବା ଏକ କୂଅରେ ଇ.କୋଲାଇ ଜୀବାଣୁର ମାତ୍ରା ଅଧିକ ରହିଛି। କିନ୍ତୁ ଅଧିକାରୀମାନେ କହିଛନ୍ତି ଯେ କୂଅ ବ୍ୟବହାର କରାଯାଉଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଖାଇବା ପୂର୍ବରୁ ପାଣି ଫୁଟାଇ ଖାଦ୍ୟ ଗରମ କରିବାକୁ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି।