ପାଟଣା: ବିହାରର ମୁଜାଫରପୁର ଜିଲ୍ଲାରେ ଥିବା ଏକ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଯାଇଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ପୁଲିସ ଏହି ସୂଚନା ଦେଇଛି। ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସିଂହ ମିନାପୁର ଅଞ୍ଚଳର ଧର୍ମପୁର ପୂର୍ବରେ ଥିବା ଏକ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କାମ କରନ୍ତି। ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ସ୍କୁଲରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ମିନାପୁର ବିଧାୟକ ମୁନ୍ନା ଯାଦବଙ୍କୁ ଖବର ଦେଇଥିଲେ।
ରାମପୁରହରି ଥାନା ଅଧିକାରୀ ସୁଜିତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନଶିକ୍ଷକ ନିଶାସକ୍ତ ଅବସ୍ଥାରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ବିଦ୍ୟାଳୟରେ ପହଞ୍ଚିଥିବା ଅଭିଯୋଗ ହୋଇଥିଲା। ସଙ୍ଗେସଙ୍ଗେ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ବ୍ରେଥ୍ ଆନାଲାଇଜର ପରୀକ୍ଷାରୁ ମଧ୍ୟ ସେ ମଦ୍ୟପାନ କରିଥିବା ଜଣାପଡ଼ିଥିଲା। ପୁଲିସ ତାଙ୍କୁ ଗିରଫ କରିଥିଲା।
ଗିରଫ ହେବା ପୂର୍ବରୁ ପ୍ରଧାନଶିକ୍ଷକ ଗଣମାଧ୍ୟମକୁ କହିଥିଲେ ଯେ ସେ ଗୁରୁତର ଆର୍ଥିକ ସଙ୍କଟରେ ଅଛନ୍ତି ଏବଂ ଗତ ୫ ମାସ ହେବ ତାଙ୍କୁ ଦରମା ଦିଆଯାଇନାହିଁ। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାର ୨୦୧୬ ଏପ୍ରିଲ ୫ତାରିଖରେ ମଦ ବିକ୍ରି ଓ ସେବନ ଉପରେ କଟକଣା ଲଗାଇଥିଲେ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ପ୍ରଧାନଶିକ୍ଷକ ସଞ୍ଜୟ କୁମାର ସିଂହ ଗତ ୩ ବର୍ଷ ହେଲା ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ସେ ମଦ୍ୟପାନ କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସାଧାରଣତନ୍ତ୍ର ଦିବସ ଅବସରରେ ପତାକା ଉତ୍ତୋଳନ କରାଯାଉଥିଲା। ଏହି ସମୟରେ ପ୍ରଧାନଶିକ୍ଷକ ମଦ୍ୟପାନ କରି ବିଦ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ କିଛି କଥାକୁ ନେଇ ସ୍ଥାନୀୟ ଲୋକଙ୍କ ସହ ଯୁକ୍ତିତର୍କ କରିବା ଆରମ୍ଭ କରିଥିଲେ। ବିବାଦ ବଢିବାରୁ ସେ ରାମପୁର ହରି ଥାନା ପୁଲିସକୁ ଖବର ଦେଇଥିଲେ।