ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଦିଲ୍ଲୀର ଏକ ଦମ୍ପତି ଏବଂ ସେମାନଙ୍କର ଦୁଇ ପିଲାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ଉତ୍ତମନଗରର ୩ ନମ୍ବର ସାହି ସୁଭାଷ ପାର୍କରେ ରହୁଥିବା ୪୨ ବର୍ଷୀୟ ଓମ୍ ପ୍ରକାଶ ଆର୍ଯ୍ୟ ତାଙ୍କ ପତ୍ନୀ ପୂର୍ଣ୍ଣିମା ସିଂହ, ୧୨ ବର୍ଷର ଝିଅ ଅହନା ଓ ୪ ବର୍ଷର ପୁଅ ବିନାୟକଙ୍କ ସହ ମହାକୁମ୍ଭରୁ ଘରକୁ ଫେରୁଥିଲେ।
ଲକ୍ଷ୍ନୌ ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୩୧ରେ କାର୍ଟି ଡିଭାଇଡରକୁ ଧକ୍କା ଦେଇ ରାସ୍ତାର ଅନ୍ୟ ପାର୍ଶ୍ୱରେ ଯିବାରୁ ଏହି ଦୁର୍ଘଟଣା ଘଟିଛି। ସାମ୍ନାରୁ ଦ୍ରୁତଗତିରେ ଆସୁଥିବା ମେଟାଡୋର କାର୍ କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଓମ୍ ପ୍ରକାଶ, ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି।