ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମୌନି ଅମାବାସ୍ୟା ଦିନ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନରୁ ପ୍ରୟାଗରାଜ ଯାଉଥିବା ମହାକୁମ୍ଭ ମେଳା ସ୍ପେଶାଲ ଟ୍ରେନ୍ ଚଳାଚଳକୁ ବନ୍ଦ ରଖାଯାଇଛି। ଏହି କାରଣରୁ ଜଙ୍କସନରେ ପ୍ରୟାଗରାଜ ଯାଉଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।
ଅବଶିଷ୍ଟ ବିଭିନ୍ନ ରୁଟରେ ଚଳାଚଳ କରୁଥିବା କୁମ୍ଭମେଳା ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ପୂର୍ବଭଳି ଚାଲିଛି। କେବଳ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନରୁ ପ୍ରୟାଗରାଜକୁ ଆସୁଥିବା କୁମ୍ଭ ମେଳା ସ୍ପେଶାଲ ଟ୍ରେନକୁ ବର୍ତ୍ତମାନ ପାଇଁ ଅସ୍ଥାୟୀ ଭାବେ ବନ୍ଦ କରାଯିବ। ନିୟମିତ ଟ୍ରେନ୍ ଚଳାଚଳ ଜାରି ରହିବ। ପ୍ରୟାଗରାଜରେ ଅତ୍ୟଧିକ ଭିଡ଼ ଯୋଗୁଁ ସ୍ୱତନ୍ତ୍ର ଟ୍ରେନ୍କୁ ଅଟକାଇ ଦିଆଯାଇଛି।
ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ପ୍ରଶାସନ ଆଲର୍ଟ ମୋଡକୁ ଆସିଛି। ପ୍ରୟାଗରାଜ ଜଙ୍କସନରେ ରାପିଡ୍ ଆକ୍ସନ ଫୋର୍ସ (ଆରଏଏଫ୍) ଏବଂ ପୁଲିସ ଫୋର୍ସ ମୁତୟନ ବୃଦ୍ଧି କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଡ଼ା ବ୍ୟବସ୍ଥା କରାଯାଇଛି। ମୌନି ଅମାବାସ୍ୟା ସ୍ନାନ ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ସଙ୍ଗମ ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ଯିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ମହାକୁମ୍ଭରେ ଏପର୍ଯ୍ୟନ୍ତ ୧୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିସାରିଲେଣି। ମୌନି ଅମାବାସ୍ୟା ଅବସରରେ ପାଖାପାଖି ୧୦ କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ ପାଇଁ ପହଞ୍ଚିଛନ୍ତି। ଜାନୁଆରୀ ୨୫ ତାରିଖରୁ ଦୈନିକ ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ମହାକୁମ୍ଭକୁ ଆସିବା ଆରମ୍ଭ କରିଛନ୍ତି। ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସୁରୁଖୁରୁରେ ସ୍ଥାନାନ୍ତର ପାଇଁ ପ୍ରୟାଗରାଜ ରେଳ ଡିଭିଜନ ସହରର ସମସ୍ତ ଷ୍ଟେସନ ପାଇଁ ସ୍ୱତନ୍ତ୍ର ଯୋଜନା ଏବଂ କିଛି କଟକଣା ଲାଗୁ କରିଛି। ମୌନି ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ଏବଂ ଦୁଇ ଦିନ ପରେ ଏହି କଟକଣା ବଳବତ୍ତର ରହିବ।