ପ୍ରୟାଗରାଜ: ମହାକୁମ୍ଭରେ ବୁଧବାର ସକାଳେ ସଙ୍ଗମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଜି ମୌନି ଅମାବାସ୍ୟା ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବାକୁ ଏକାଠି ହୋଇଥିଲେ। ବୁଧବାର ମହାକୁମ୍ଭର ଦ୍ବିତୀୟ ଅମୃତ ସ୍ନାନ ବାତିଲ କରାଯାଇଛି। ଏବେ ବସନ୍ତ ପଞ୍ଚମୀ ଦିନ ଆଖଡ଼ାମାନେ ଅମୃତ ସ୍ନାନ କରିବେ।
କୁମ୍ଭମେଳା ପ୍ରାଧିକରଣର ସ୍ବତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ଆକାଂକ୍ଷା ରଣା କହିଛନ୍ତି, ସଙ୍ଗମ ମାର୍ଗରେ କିଛି ପ୍ରତିବନ୍ଧକ ଭାଙ୍ଗିବା କାରଣରୁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କିଛି ଲୋକ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତଙ୍କ ସଠିକ ସଂଖ୍ୟା ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ।
ଆହତମାନଙ୍କୁ ମେଳା ଅଞ୍ଚଳର ସେକ୍ଟର-୨ସ୍ଥିତ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନେକ ଆହତଙ୍କ ସମ୍ପର୍କୀୟ ମଧ୍ୟ ସେଠାରେ ପହଞ୍ଚିଛନ୍ତି। କିଛି ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ସଙ୍ଗମ ନାକରେ ଥିବା ୧୧ରୁ ୧୭ ନମ୍ବର ଖୁଣ୍ଟ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିବା ବେଳେ ଅନେକ ନିଜ ପରିବାରଠାରୁ ଅଲଗା ହୋଇଯାଇଥିଲେ।
ଅନେକ ପରିବାର କହିଛନ୍ତି ଯେ ହଠାତ୍ ଏହି ଘଟଣା ଘଟିଛି। ଏଥିରେ ଅନେକ ଲୋକ ଏକାଠି ପଡ଼ିଥିଲେ ଯେଉଁଥିରେ ପ୍ରାୟ ୩୦ରୁ ୪୦ ଜଣ ଆହତ ହୋଇଥିଲେ। ତେବେ ଆହତଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମହାକୁମ୍ଭର ସଙ୍ଗମ ସ୍ଥଳରେ ଦଳାଚକଟା ପରେ ଆଜିର ଅମୃତ ସ୍ନାନ ବାତିଲ କରାଯାଇଛି। ଆଖଡ଼ା ପରିଷଦ ଏହି ନିଷ୍ପତ୍ତି ନେଇଛି।
ପୂର୍ବରୁ ମେଳା ପ୍ରଶାସନ ଆଖଡ଼ା ପରିଷଦ ସଭାପତି ରବୀନ୍ଦ୍ର ପୁରୀଙ୍କୁ ଆଖଡ଼ାମାନଙ୍କର ଅମୃତ ସ୍ନାନକୁ ବର୍ତ୍ତମାନ ପାଇଁ ବନ୍ଦ କରିବାକୁ ନିବେଦନ କରିଥିଲା, ଯାହା ପରେ ଆଜିର ଅମୃତ ସ୍ନାନକୁ ବାତିଲ କରାଯାଇଥିଲା। ଆଖଡ଼ାମାନେ ସ୍ନାନ ପାଇଁ ସଙ୍ଗମରେ ପହଞ୍ଚିବା ଆରମ୍ଭ କରିଥିଲେ, ଯାହା ଏବେ ଫେରିଆସିଛି। ଆଖଡ଼ା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି ଯେ, ବସନ୍ତ ପଞ୍ଚମୀରେ ଆଖଡ଼ାମାନଙ୍କର ଅମୃତ ସ୍ନାନ ଅନୁଷ୍ଠିତ ହେବ।
ମୌନି ଅମାବାସ୍ୟାର ଗୋଟିଏ ଦିନ ପୂର୍ବରୁ ମହାକୁମ୍ଭରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଥିଲା। ରାସ୍ତାଘାଟଠାରୁ ଆରମ୍ଭ କରି ପ୍ରୟାଗରାଜର ଗଳିକନ୍ଦି ପର୍ଯ୍ୟନ୍ତ ସବୁ କିଛି ଭରି ରହିଛି। ରେଳ ଷ୍ଟେସନ ହେଉ କି ବସଷ୍ଟାଣ୍ଡ, କେଉଁଠି ପାଦ ରଖିବାକୁ ଜାଗା ନାହିଁ। ମୌନି ଅମାବାସ୍ୟାକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଏତେ ଯେ ସେମାନେ ସବୁ କଷ୍ଟ ସହିବାକୁ ପ୍ରସ୍ତୁତ।