ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ଜାରି ରହିଥିବା ବେଳେ ଆଜି ପବିତ୍ର ମୌନି ଅମାବାସ୍ୟା ଅବସରରେ ଆୟୋଜିତ ହେବାକୁ ଥିବା ଅମୃତସ୍ନାନ ପୂର୍ବରୁ ଅଘଟଣ ଘଟିଛି। ମହାସ୍ନାନ ପାଇଁ କୋଟିକୋଟି ଶ୍ରଦ୍ଧାଳୁ ସଂଗମନଗରୀରେ ପହଞ୍ଚି ଥିବା ବେଳେ ମଙ୍ଗଳବାର-ବୁଧବାର ରାତିରେ ଦଳଚକଟା ଯୋଗୁଁ ଅଭାବନୀୟ ପରିସ୍ଥିତି ଦେଖାଯାଇଛି। ଫଳରେ ଅମୃତସ୍ନାନକୁ ବାତିଲ କରିଦିଆଯାଇଛି, ଯାହାକି ଆଗାମୀ ଶ୍ରୀପଞ୍ଚମୀ ଦିନ ଅନୁଷ୍ଠିତ ହେବ।
ତେବେ ଏହି ଅଘଟଣ ପରେ ପରିସ୍ଥିତିକୁ ସରକାର ଓ ସ୍ଥାନୀୟ ପ୍ରଶାସନ ମୁକାବିଲା କରିଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହାରି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଳୁମାନଙ୍କ ନିକଟରେ ଗୁରୁତ୍ବପୂର୍ଣ୍ଣ ଅପିଲ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ମହାକୁମ୍ଭ-୨୦୨୫, ପ୍ରୟାଗରାଜକୁ ଆସୁଥିବା ପ୍ରିୟ ଭକ୍ତମାନେ ମା' ଗଙ୍ଗାଙ୍କ ଘାଟରେ ସ୍ନାନ କରନ୍ତୁ। ଯେଉଁଠାରେ ଆପଣ ନିକଟରେ ଅଛନ୍ତି ସେଇଠି ସ୍ନାନ କଲେ ଭଲ। ସଙ୍ଗମ ନାକ ଆଡକୁ ଯିବାକୁ ଚେଷ୍ଟା କରନ୍ତୁ ନାହିଁ। ସମସ୍ତେ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ସହ ବ୍ୟବସ୍ଥା କରିବାରେ ସହଯୋଗ କରନ୍ତୁ। ପବିତ୍ର ସହରରେ ସ୍ନାନ କରିବା ପାଇଁ ଭକ୍ତମାନେ ସଙ୍ଗମର ଘାଟରେ ଭିଡ଼ ଜମାଇଥିଲେ। କୌଣସି ଗୁଜବ ଉପରେ ଆଦୌ ଧ୍ୟାନ ଦିଅନ୍ତୁ ନାହିଁ।
ସୂଚାନଯୋଗ, ଏହି ଅପ୍ରୀତିକର ଅଘଟଣ ଘଟିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଏପର୍ଯ୍ୟନ୍ତ ୨ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଥାବାର୍ତ୍ତା କରିସାରିଛନ୍ତି। ସେହି ପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛନ୍ତି।
ମହାକୁମ୍ଭରେ ବୁଧବାର ସକାଳେ ସଙ୍ଗମରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ଆଜି ମୌନି ଅମାବାସ୍ୟା ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବାକୁ ଏକାଠି ହୋଇଥିଲେ। ବୁଧବାର ମହାକୁମ୍ଭର ଦ୍ବିତୀୟ ଅମୃତ ସ୍ନାନ ବାତିଲ କରାଯାଇଛି। ଏବେ ବସନ୍ତ ପଞ୍ଚମୀ ଦିନ ଆଖଡ଼ାମାନେ ଅମୃତ ସ୍ନାନ କରିବେ।