ଓ୍ଵାଶିଂଟନ୍: ଡ୍ରଗ୍ସ ବିରୋଧରେ ଦୀର୍ଘ ଦିନ ଧରି ଅଭିଯାନ ଚଳାଇଥିବା ଯୁକ୍ତରାଷ୍ଟ୍ର ଆମେରିକା ଓ କଲମ୍ବିଆ ଇମିଗ୍ରେସନ୍ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି। ପ୍ରବାସୀଙ୍କୁ ପ୍ରତ୍ୟାର୍ପଣ ପାଇଁ ଉଭୟ ଦେଶ ପରସ୍ପରର ସାମଗ୍ରୀ ଉପରେ ଶୁଳ୍କ ଲାଗୁ କରିବାକୁ ରବିବାର ଘୋଷଣା କରିଛନ୍ତି। କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରତ୍ୟାର୍ପଣ ସମୟରେ ପ୍ରବାସୀମାନଙ୍କୁ ସମ୍ମାନର ସହ ବ୍ୟବହାର କରୁନଥିବା ଅଭିଯୋଗ କରିଛନ୍ତି ଏବଂ ଆମେରିକୀୟ ସାମଗ୍ରୀ ଉପରେ କଲମ୍ବିଆ ଶୁଳ୍କରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି କଲମ୍ବିଆରୁ ଆସୁଥିବା ସମସ୍ତ ସାମଗ୍ରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କଲମ୍ବିଆ ବ୍ୟତୀତ ବ୍ରାଜିଲ ଓ ମେକ୍ସିକୋ ସହ ମଧ୍ୟ ଆମେରିକାର ଦେଶାନ୍ତର ପ୍ରସଙ୍ଗକୁ ନେଇ ବିବାଦ ଲାଗି ରହିଛି।
କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଆମେରିକାରୁ ବିମାନକୁ ନିଜ ଦେଶକୁ ଫେରିବାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ଆମେରିକାରେ ଥିବା କଲମ୍ବିଆ ପ୍ରବାସୀଙ୍କୁ ଅପରାଧୀ ଭଳି ବ୍ୟବହାରକୁ ପେଟ୍ରୋ ବିରୋଧ କରି କହିଛନ୍ତି ଯେ ଯେପର୍ଯ୍ୟନ୍ତ ଆମେରିକା ପ୍ରବାସୀଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପାଇଁ ପ୍ରୋଟୋକଲ୍ ପ୍ରସ୍ତୁତ ନ କରେ, ସେ ପର୍ଯ୍ୟନ୍ତ କଲମ୍ବିଆ ପ୍ରବାସୀଙ୍କୁ ନେଇ ଆସୁଥିବା ଆମେରିକୀୟ ବିମାନଗୁଡ଼ିକୁ ଦେଶ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ।
କଲମ୍ବିଆର ବାମପନ୍ଥୀ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏକ୍ସରେ ଲେଖିଛନ୍ତି, ଆମେରିକା କଲମ୍ବିଆ ପ୍ରବାସୀମାନଙ୍କୁ ଅପରାଧୀ ଭଳି ବ୍ୟବହାର କରିପାରିବ ନାହିଁ। କଲମ୍ବିଆ ପ୍ରବାସୀଙ୍କୁ ଆମ ଅଞ୍ଚଳକୁ ପ୍ରବେଶ କରିବାକୁ ଆଣିଥିବା ଆମେରିକୀୟ ବିମାନଗୁଡ଼ିକୁ ମୁଁ ଅବରୋଧ କରୁଛି। ଓ୍ଵାଶିଂଟନ୍ ପ୍ରବାସୀଙ୍କ ସମ୍ମାନଜନକ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଏକ ପ୍ରୋଟୋକଲ୍ ପ୍ରସ୍ତୁତ କଲେ ହିଁ ଏହି ବିମାନଗୁଡ଼ିକଗ୍ରହଣ କରାଯିବ। ଅନ୍ୟ ଏକ ପୋଷ୍ଟରେ ପେଟ୍ରୋ କହିଛନ୍ତି ଯେ ସେ କଲମ୍ବିଆ ପ୍ରବାସୀଙ୍କୁ ନେଇ ଯାଉଥିବା ଆମେରିକୀୟ ସାମରିକ ବିମାନକୁ ଫେରାଇ ଦେଇଛନ୍ତି।
ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଉପରେ ବ୍ରାଜିଲ ସରକାର ଅସନ୍ତୋଷ ପ୍ରକାଶ କରିବାର ଗୋଟିଏ ଦିନ ପରେ ପେଟ୍ରୋ ଏହି ମନ୍ତବ୍ୟ ଦେଇଛନ୍ତି। ଆମେରିକାରୁ ବହିଷ୍କୃତ ହୋଇଥିବା ବ୍ରାଜିଲବାସୀଙ୍କ ପ୍ରତି ହେଉଥିବା ବ୍ୟବହାରକୁ ନେଇ ବ୍ରାଜିଲ ମଧ୍ୟ କ୍ଷୋଭ ପ୍ରକାଶ କରିଛି। ବିମାନ ଉଡ଼ାଣ ସମୟରେ ପ୍ରବାସୀଙ୍କୁ ହାତକଡ଼ି ଦିଆଯାଇଥିଲା, ଯାହା ସେମାନଙ୍କ ମୌଳିକ ଅଧିକାରର ଘୋର ଉଲ୍ଲଂଘନ ବୋଲି ବ୍ରାଜିଲ କହିଛି।
ମେକ୍ସିକୋ ମଧ୍ୟ ଆମେରିକାର ସାମରିକ ବିମାନକୁ ଦେଶରେ ଅବତରଣ କରିବାକୁ ମନା କରିଦେଇଛି। ଡୋନାଲ୍ଡ ଟ୍ରମ୍ପ ଶପଥ ନେବା ପରେ ଆମେରିକା ପ୍ରବାସୀଙ୍କ ଉପରେ କଠୋର ନୀତି ଆପଣାଇଥିଲା। ପ୍ରବାସୀଙ୍କୁ ଫେରାଇ ଦିଆଯାଉଛି, କିନ୍ତୁ ସେମାନଙ୍କୁ ଶୃଙ୍ଖଳିତ କରିବାର ଅମାନବୀୟ ଚିତ୍ର ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଆମେରିକାର ଅନେକ ଦେଶ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି।