ଡେରାଡୁନ୍: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରବିବାର କହିଛନ୍ତି ଯେ ସୋମବାରଠାରୁ ରାଜ୍ୟରେ ୟୁନିଫର୍ମ ସିଭିଲ କୋର୍ଡ (ୟୁସିସି) ଲାଗୁ ହେବ। ଉତ୍ତରାଖଣ୍ଡ ଭାରତର ପ୍ରଥମ ରାଜ୍ୟ ହେବ ଯେଉଁଠାରେ ଏହି ଆଇନ କାର୍ଯ୍ୟକାରୀ ହେବ। ୟୁସିସି କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ଏଥିରେ ଆଇନର ନିୟମକୁ ଅନୁମୋଦନ ଏବଂ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦେବା ଅନ୍ତର୍ଭୁକ୍ତ।
ସେ କହିଥିଲେ ଯେ ୟୁସିସି ସମାଜରେ ସମାନତା ଆଣିବ ଏବଂ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଏବଂ ଦାୟିତ୍ୱ ସୁନିଶ୍ଚିତ କରିବ। ୟୁନିଫର୍ମ ସିଭିଲ କୋଡ୍ ରେ ଜାତି, ଧର୍ମ, ଲିଙ୍ଗ ଇତ୍ୟାଦି ଆଧାରରେ ଭେଦଭାବ କରୁଥିବା ବ୍ୟକ୍ତିଗତ ନାଗରିକ ମାମଲା ସହ ଜଡ଼ିତ ସମସ୍ତ ଆଇନରେ ସମାନତା ଆଣିବାକୁ ଚେଷ୍ଟା କରାଯାଇଛି।
ଉତ୍ତରାଖଣ୍ଡରେ ୟୁସିସି ଲାଗୁ କରିବା ୨୦୨୨ ବିଧାନସଭା ନିର୍ବାଚନରେ ବିଜେପିର ଅନ୍ୟତମ ପ୍ରମୁଖ ପ୍ରତିଶ୍ରୁତି ଥିଲା। ମାର୍ଚ୍ଚମାସରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ମୁଖ୍ୟମନ୍ତ୍ରୀ ଧମିଙ୍କ ନେତୃତ୍ୱରେ କ୍ୟାବିନେଟର ପ୍ରଥମ ବୈଠକରେ ୟୁସିସି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ଏବଂ ଏହାର ଡ୍ରାଫ୍ଟ ପ୍ରସ୍ତୁତ କରିବା ପାଇଁ ଏକ ବିଶେଷଜ୍ଞ କମିଟି ଗଠନକୁ ଅନୁମୋଦନ ମିଳିଥିଲା ।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ୨୦୨୨ ମେ ୨୭ତାରିଖରେ ଏହି ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା, ଯିଏ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା ଆଧାରରେ ୪ଭାଗରେ ପ୍ରସ୍ତୁତ ରିପୋର୍ଟ ୨୦୨୪ ଫେବ୍ରୁଆରି ୨ ତାରିଖରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ରିପୋର୍ଟ ଆଧାରରେ ୭ ଫେବ୍ରୁଆରି ୨୦୨୪ରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ୟୁସିସି ବିଲ୍ ପାରିତ ହୋଇଥିଲା ଏବଂ ଏହାର ଏକ ମାସ ପରେ ୧୨ ମାର୍ଚ୍ଚ ୨୦୨୪ରେ ରାଷ୍ଟ୍ରପତି ମଧ୍ୟ ଏହାକୁ ଅନୁମୋଦନ ଦେଇଥିଲେ।
ଉତ୍ତରାଖଣ୍ଡ ୟୁସିସି ବିବାହ, ଛାଡ଼ପତ୍ର, ଉତ୍ତରାଧିକାରୀ, ଲିଭ୍ ଇନ୍ ରିଲେସନ୍ ସିପ୍ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ମାମଲାକୁ ନିୟନ୍ତ୍ରଣ କରିବ। ୟୁସିସି ସମସ୍ତ ଧର୍ମର ପୁରୁଷ ଓ ମହିଳାଙ୍କ ପାଇଁ ବିବାହର ସମାନ ବୟସ ନିର୍ଦ୍ଧାରଣ କରିଥାଏ, ଛାଡ଼ପତ୍ର ଏବଂ ପ୍ରକ୍ରିୟା ପାଇଁ ଆଧାର ଧାର୍ଯ୍ୟ କରିଥାଏ ଏବଂ ବହୁବିବାହ ଏବଂ ହଲାଲାକୁ ନିଷିଦ୍ଧ କରିଥାଏ। ଆସାମ ସମେତ ଦେଶର ଅନେକ ରାଜ୍ୟ ଉତ୍ତରାଖଣ୍ଡର ୟୁସିସି ଆକ୍ଟକୁ ମଡେଲ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।