ରବିବାର ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ କରିଥିବା ଥୋମାସ୍ ମାଥ୍ୟୁ କ୍ରୁକ୍ସଙ୍କ ଫଟୋ ସାମ୍ନାକୁ ଆସିଛି। ଟ୍ରମ୍ପଙ୍କୁ ଗୁଳି କରିବାର କିଛି ସେକେଣ୍ଡ ପରେ ସିକ୍ରେଟ ସର୍ଭିସର ଅଧିକାରୀ ଆକ୍ରମଣକାରୀର ମୁଣ୍ଡରେ ଗୁଳି କରି ମାରି ଦେଇଥିଲେ। ବର୍ତ୍ତମାନ ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫବିଆଇ) ପକ୍ଷରୁ ଥୋମାସଙ୍କ ଫଟୋ ପ୍ରକାଶ କରାଯାଇଛି।
୨୦ ବର୍ଷୀୟ ଥୋମାସ ଜଣେ ଶାନ୍ତ ସ୍ୱଭାବର ବ୍ୟକ୍ତି ବୋଲି ଏଜେନ୍ସି କହିଛି। ସେ ଏକୁଟିଆ ରହୁଥିଲେ ଏବଂ ୨୦୨୨ ମସିହାରେ ବେଥେଲ ପାର୍କ ହାଇସ୍କୁଲରୁ ସ୍ନାତକ ହାସଲ କରିଥିଲେ। ଥୋମାସଙ୍କୁ ଜାତୀୟ ଗଣିତ ଏବଂ ବିଜ୍ଞାନ ଅଭିଯାନରୁ ୫୦୦ ଡଲାର ପୁରସ୍କାର ମଧ୍ୟ ମିଳିଥିଲା । ସେ ଜଣେ ପଞ୍ଜୀକୃତ ରିପବ୍ଲିକାନ୍ ଥିଲେ ଏବଂ ଆସନ୍ତା ୫ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ପ୍ରଥମ ଥର ପାଇଁ ଭୋଟ ଦେଇଥାନ୍ତେ ।
ଥୋମାସଙ୍କ ସହପାଠୀ କହିଛନ୍ତି ଯେ ସେ ତାଙ୍କୁ ରାଜନୀତି କିମ୍ବା ଟ୍ରମ୍ପଙ୍କ ବିଷୟରେ ଆଲୋଚନା କରିବାକୁ କେବେ ଦେଖି ନାହାଁନ୍ତି। କିନ୍ତୁ, ତାଙ୍କୁ ସ୍କୁଲରେ ଅନେକ ସମୟରେ ଧମକ ଦିଆଯାଉଥିଲା। ତେବେ ସ୍ନାତକ ପରେ ସେ ଏକ ନର୍ସିଂହୋମରେ କାମ କରୁଥିଲେ। ଏହି ଆକ୍ରମଣ ପରେ ତାଙ୍କ କାର ଭିତରୁ ଏକ 'ସନ୍ଦେହଜନକ ଉପକରଣ' ମିଳିଥିଲା, ଯାହାକୁ ବର୍ତ୍ତମାନ ବୋମା ସ୍କ୍ୱାଡ ଯାଞ୍ଚ କରୁଛନ୍ତି। ଏହାସହ ଅଧିକାରୀମାନେ ବର୍ତ୍ତମାନ ତାଙ୍କ ଫୋନକୁ ମଧ୍ୟ ଯାଞ୍ଚ କରୁଛନ୍ତି।