ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପଞ୍ଚମ ଦିନରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇଛନ୍ତି । ସେ ମଙ୍ଗଳବାର କହିଛନ୍ତି, ଆମେରିକା ଜାଣିଛି ଯେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖାମେନେଇ କେଉଁଠି ଲୁଚି ରହିଛନ୍ତି । କିନ୍ତୁ ତାଙ୍କୁ ନିପାତ କରିବାର ଆମର ଯୋଜନା ଏବେ ନାହିଁ ।
ଟ୍ରମ୍ପ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ସମୟ ଆସି ଯାଇଛି ଇରାନ ବିନା ସର୍ତ୍ତରେ ଆତ୍ମ ସମର୍ପଣ କରୁ । ନଚେତ୍ ପରିଣାମ ବହୁତ ଭୟଙ୍କର ହେବ । ଟ୍ରମ୍ପଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ହମଲା ଥମିବାର ନାଁ ଧରୁନି । ଟ୍ରମ୍ପ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଯଦି ଇରାନ ପକ୍ଷରୁ ଆମେରିକା କିମ୍ବା ଏହାର ନାଗରିକଙ୍କ କ୍ଷତି କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନ ଆଗାମୀ ଦିନରେ ପରିସ୍ଥିତିକୁ ଆହୁରି ବିଗାଡିପାରେ । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଆମେରିକା ଇରାନର ପ୍ରତିଟି ସ୍ଥିତି ଓ ଗତିବିଧି ଉପରେ କଡା ନଜର ରଖିଛି । ଏପରିକି ଆବଶ୍ୟକ ପଡିଲେ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେଇପାରେ ।
ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ବହୁତ ବିପଦଜ୍ଜନକ ମୋଡରେ ପହଞ୍ଚି ଯାଇଛି । ଇସ୍ରାଏଲ ଇରାନର ଅନେକ ସାମରିକ ଓ ଆଣବିକ ପ୍ରତିଷ୍ଠାନ ଉପରେ ହମଲା କରିଛି । ଆଉ ଇରାନ ବି ପାଲଟା ଜବାବ ଦେଇ ମିସାଇଲ ଓ ଡ୍ରୋନ ଆଟାକ୍ କରିଛି । ଏହି ସଂଘର୍ଷରେ ଏ ପର୍ଯ୍ୟନ୍ତ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି ଏବଂ ହଜାର ସଂଖ୍ୟକ ଲୋକ ଆହତ ହୋଇଛନ୍ତି । ଅନ୍ତର୍ଜାତୀୟ ସମୁଦାୟ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଯଦି ଏହି ସଂଘର୍ଷ ଏମିତି ଜାରି ରହେ ତେବେ ପୂରା ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକାରେ ଘାଣ୍ଟି ହେବ ।