ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ କେମିତି ସମାପ୍ତ ହେବ ସେ ଦିଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସକ୍ରିୟତାର ସହ ଆଗକୁ ବଢୁଛନ୍ତି । ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ବୁଝାମଣାକୁ ନେଇ ରାଷ୍ଟ୍ରପତି ପୁଟିନଙ୍କ ସହ ଆଲୋଚନା ପରେ ଏବେ ୱାଶିଂଟନ ଓ କିଭ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏହି ଆଲୋଚନାରେ ଶାନ୍ତି ସ୍ଥାପନା ଉପରେ ଚର୍ଚ୍ଚା ହୋଇଛି । ଟ୍ରମ୍ପ୍ ଏହି ଆଲୋଚନାକୁ ସକାରାତ୍ମକ ବୋଲି କହିଛନ୍ତି ।
ସୋସିଆଲ୍ ମିଡିଆ ଆକାଉଣ୍ଟରେ ଟ୍ରମ୍ପ କହିଛନ୍ତି ଯେ କଥାବାର୍ତ୍ତା ପ୍ରାୟ ୧ ଘଣ୍ଟା ଯାଏ ଚାଲିଥିଲା । ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ଗତକାଲି ହୋଇଥିବା ଆଲୋଚନାର ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା ପର୍ଯ୍ୟବେସିତ ଥିଲା । ସେ କହିଛନ୍ତି, 'ଆମେ ଠିକ୍ ଦିଗରେ ଆଗକୁ ବଢୁଛୁ, ବିଦେଶ ମନ୍ତ୍ରୀ ମାର୍କୋ ରୁବିୟୋ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମାଇକେଲ୍ ୱାଲ୍ଟଜଙ୍କୁ ଏହି ଆଲୋଚନା ଉପରେ ସଠିକ୍ ବିବୃତ୍ତି ପ୍ରଦାନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି।
ଏହି ଆଲୋଚନା ପରେ ଅନୁମାନ କରାଯାଉଛି ଯେ ଆମେରିକା ଯୁଦ୍ଧବିରତି ଓ ଶାନ୍ତି ବୁଝାମଣା ଦିଗରେ ଦୃଢ ପଦକ୍ଷେପ ନେବା ପାଇଁ ପ୍ରସ୍ତୁତି କରୁଛି । ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ଉପରେ ସାରା ଦୁନିଆ ନଜର ଥିବା ବେଳେ ଏବେ ଜେଲେନସ୍କିଙ୍କ ସହ ଆଲୋଚନା ଏକ ବଡ଼ ସଂକେତ ବୋଲି ଅନୁମାନ କରାଯାଉଛି ।
ଏହା ପୂର୍ବରୁ ଗତକାଲି ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଫୋନରେ କଥାବର୍ତ୍ତା ହୋଇଥିଲା । ଏହି ଆଲୋଚନାରେ ଦୁଇ ନେତା ୟୁକ୍ରେନରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ୩୦ ଦିନର ଅସ୍ଥାୟୀ ଯୁଦ୍ଧବିରତି ଉପରେ ସହମତି ବ୍ୟକ୍ତ କରିଥିଲେ । କିନ୍ତୁ ରୁଷ ଓ ୟୁକ୍ରେନ ଉଭୟ ପରସ୍ପରର ପରମାଣୁ ପ୍ଲାଣ୍ଟ ଓ ମୌଳିକ ଢାଞ୍ଚା ଉପରେ ଆକ୍ରମଣ ନ କରିବା ଉପରେ ସହମତି ପ୍ରକାଶ ପାଇଛି । ଆଲୋଚନାରେ ପୁଟିନ ସ୍ପଷ୍ଟ କରିଥିଲେ ଯେ ଯଦି ଆମେରିକା ଓ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସୈନ୍ୟ ଓ ଗୁଇନ୍ଦା ସହାୟତା ପ୍ରଦାନ ବନ୍ଦ ନକରିଛନ୍ତି ସେ ପର୍ୟ୍ୟନ୍ତ ସଂଘର୍ଷ ସଂପୂର୍ଣ୍ଣ ବନ୍ଦ ହେବ ନାହିଁ ।