କୋହିରା/ଯେରୁସେଲମ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହମାସକୁ ଛାଡିବାକୁ ଚାହୁଁ ନାହାନ୍ତି ଏବଂ ବନ୍ଦୀମାନଙ୍କୁ ମୁକ୍ତ କରିବା ନେଇ ପୁଣି ଥରେ ଆକ୍ରମଣ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇସ୍ରାଏଲ ସେନା ବୁଧବାର କହିଛି ଯେ ଏହାର ସେନା କେନ୍ଦ୍ରୀୟ ଏବଂ ଦକ୍ଷିଣ ଗାଜା ଷ୍ଟ୍ରିପ୍ରେ ସ୍ଥଳଅପରେସନ୍ ଆରମ୍ଭ କରିଛି। ଏହାର ଗୋଟିଏ ଦିନ ତଳେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୪୮ ଜଣ ପାଲେଷ୍ଟାଇନ୍ ନାଗରିକ ନିହତ ହୋଇଥିଲେ।
ଇସ୍ରାଏଲ ସେନା କହିଛି ଯେ ଏହାର ଅଭିଯାନ ଗାଜାକୁ ଦୁଇ ଭାଗରେ ବିଭକ୍ତ କରୁଥିବା ନେଜାରିମ୍ କରିଡର ଉପରେ ଇସ୍ରାଏଲର ନିୟନ୍ତ୍ରଣ ବୃଦ୍ଧି କରିଛି ଏବଂ ଏହା ଏକ "କେନ୍ଦ୍ରିତ" ସାମରିକ ଅଭିଯାନ ଥିଲା ଯାହାର ଉଦ୍ଦେଶ୍ୟ ଏନକ୍ଲେଭର ଉତ୍ତର ଏବଂ ଦକ୍ଷିଣ ମଧ୍ୟରେ ଏକ ଆଂଶିକ ବଫର ଜୋନ୍ ସୃଷ୍ଟି କରିବା।
ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ କହିଛି ଯେ ନେତଜାରିମ କରିଡରରେ ସ୍ଥଳକାର୍ଯ୍ୟାନୁଷ୍ଠାନ ଏବଂ ଅନୁପ୍ରବେଶ ଦୁଇ ମାସ ପୁରୁଣା ଅସ୍ତ୍ରବିରତି ଚୁକ୍ତିର ଏକ ନୂତନ ଏବଂ ବିପଜ୍ଜନକ ଉଲ୍ଲଂଘନ। ମିଳିତ ଜାତିସଂଘ ରିପୋର୍ଟ ଅନୁଯାୟୀ, ବୁଧବାର କେନ୍ଦ୍ରୀୟ ଗାଜା ସହରରେ ଜାତିସଂଘର ଏକ ସ୍ଥାନରେ ହୋଇଥିବା ଆକ୍ରମଣରେ ଜଣେ ବିଦେଶୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଆକ୍ରମଣ ପାଇଁ ଇସ୍ରାଏଲକୁ ଦାୟୀ କରିଥିଲେ ମଧ୍ୟ ଇସ୍ରାଏଲ ଏହାକୁ ଅସ୍ୱୀକାର କରିଛି।
ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଗାଜାରେ ବନ୍ଦୀମାନଙ୍କୁ ମୁକ୍ତ କରାନଯାଏ, ତେବେ ଇସ୍ରାଏଲ ଏପରି ତୀବ୍ରତାର ସହ କାର୍ଯ୍ୟ କରିବ ଯାହା ଆପଣ ପୂର୍ବରୁ କେବେ ଦେଖି ନଥିବେ। ଅନ୍ୟପକ୍ଷରେ ବୁଧବାର ଦ୍ବିତୀୟ ଦିନରେ ଗାଜାରେ ସାମରିକ କାର୍ଯ୍ୟାନୁଷ୍ଠାନରେ ୨୦ ଜଣ ପାଲେଷ୍ଟାଇନ୍ ନିହତ ହୋଇଛନ୍ତି। ଗୋଟିଏ ଦିନ ପୂର୍ବରୁ ୪୦୦ ଜଣଙ୍କ ମୃତ୍ୟୁ ହୋଇଥିଲା।
ଅଧିକ ପଢ଼ନ୍ତୁ: ‘ଇଭି’ର ମୂଲ୍ୟ ପେଟ୍ରୋଲ ଗାଡ଼ି ସହ ସମାନ ହୋଇଯିବ