ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ୬ ମାସ ମଧ୍ୟରେ ଦେଶରେ ଇଲେକ୍ଟ୍ରିକ୍ ଯାନ (ଇଭି)ର ମୂଲ୍ୟ ପେଟ୍ରୋଲ ଗାଡ଼ି ସହ ସମାନ ହୋଇଯିବ। ୩୨ତମ କନଭର୍ଜେନ୍ସ ଇଣ୍ଡିଆ ଏବଂ ଦଶମ ସ୍ମାର୍ଟ ସିଟି ଇଣ୍ଡିଆ ଏକ୍ସପୋକୁ ସମ୍ବୋଧିତ କରି ନୀତିନ ଗଡ଼କରୀ ଏହି ବୟାନ ଦେଇଛନ୍ତି।
୨୧୨ କିଲୋମିଟର ଦୀର୍ଘ ଦିଲ୍ଲୀ-ଡେରାଡୁନ୍ ଆକ୍ସେସ୍ ନିୟନ୍ତ୍ରିତ ଏକ୍ସପ୍ରେସୱେର ନିର୍ମାଣ କାର୍ଯ୍ୟ ଆସନ୍ତା ତିନି ମାସ ମଧ୍ୟରେ ଶେଷ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସରକାରଙ୍କ ନୀତିରେ ଆମଦାନୀ ବିକଳ୍ପ, ଖର୍ଚ୍ଚ-ଫଳପ୍ରଦତା, ପ୍ରଦୂଷଣ ମୁକ୍ତ ସମାଧାନ ଏବଂ ସ୍ୱଦେଶୀ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି।
ମନ୍ତ୍ରୀ ଗଡ଼କରୀ ଆହୁରି କହିଛନ୍ତି ଯେ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବାକୁ ହେଲେ ଦେଶର ଭିତ୍ତିଭୂମି କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ। ସେ କହିଛନ୍ତି ଯେ ଭଲ ରାସ୍ତା ନିର୍ମାଣ କରି ଆମେ ଆମର ଲଜିଷ୍ଟିକ୍ ଖର୍ଚ୍ଚ ହ୍ରାସ କରିପାରିବା।
ଏହା ସହ ନୀତିନ ଗଡ଼କରୀ କହିଛନ୍ତି ଯେ ଦେଶର ଅର୍ଥନୀତିର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଏବଂ ସ୍ମାର୍ଟ ସିଟି ଏବଂ ସ୍ମାର୍ଟ ପରିବହନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ସେ ଉଲ୍ଲେଖ କରିଛନ୍ତି ଯେ ଆମେ ଇଲେକ୍ଟ୍ରିକ୍ ଆଧାରିତ ଦ୍ରୁତ ସର୍ବସାଧାରଣ ପରିବହନ ଉପରେ କାର୍ଯ୍ୟ କରୁଛୁ। ନିତିନ ଗଡକରୀ ସଡ଼କ ନିର୍ମାଣ ଖର୍ଚ୍ଚ ହ୍ରାସ କରିବା ପାଇଁ ନୂତନ ଜ୍ଞାନକୌଶଳ ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଅଧିକ ପଢ଼ନ୍ତୁ: ଖାଲି ହେଲା ଖନୌରି-ଶମ୍ଭୁ ସୀମା: ଆଜିଠାରୁ ଖୋଲିବ ରାଜପଥ