ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ସମାପ୍ତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ମଙ୍ଗଳବାର ଦୁଇ ରାଷ୍ଟ୍ରାଧ୍ୟକ୍ଷ ଫୋନରେ ଦୀର୍ଘ ଦୁଇ ଘଣ୍ଟା ଧରି ଆଲୋଚନା କରିଛନ୍ତି । ଦୁଇ ନେତା ପ୍ଲାଣ୍ଟ ଓ ମୌଳିକ ଢାଞ୍ଚା ଉପରେ ଆକ୍ରମଣ ନ କରିବା ନେଇ ଯୁଦ୍ଧବିରାମ ଉପରେ ସହମତି ପ୍ରକାଶ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଏହି ଆଲୋଚନାକୁ ସକରାତ୍ମକ ବୋଲି କହିଛନ୍ତି ।
ତେବେ ମିଡିଆ ରିପୋର୍ଟରେ ଦାବି କରାଯାଇଛି ଯେ, ପୁଟିନ ଫୋନରେ କଥା ହେବା ପାଇଁ ଟ୍ରମ୍ପଙ୍କ ପ୍ରାୟ ଏକ ଘଣ୍ଟା ଅପେକ୍ଷା କରାଇଛନ୍ତି । ଏହାକୁ ଆମେରିକୀୟ ରାଷ୍ଟ୍ରପତିଙ୍କ ଅପମାନ ଭାବେ ଦେଖାଯାଉଛି । କେବଳ ଏତିକି ନୁହେଁ ରୁଷ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରସ୍ତାବିତ ୩୦ ଦିନର ସଂଘର୍ଷ ବିରାମକୁ ଖାରଜ କରି ଦେଇଛି । ପୁଟିନ କେବଳ ୟୁକ୍ରେନର ଉର୍ଜା ପ୍ଲାଣ୍ଟର ଭିତ୍ତିଭୂମି ଉପରେ ଆକ୍ରମଣ ନ କରିବା ପାଇଁ ପ୍ରସ୍ତାବ ଉପରେ ସହମତି ଦେଇଛି । କୁହାଯାଉଛି ଯେବେ ଟ୍ରମ୍ପ ରୁଷ ରାଷ୍ଟ୍ରପତିଙ୍କ ସହ କଥା ହେବାକୁ ଚାହୁଁଥିଲେ ସେହି ସମୟରେ ପୁଟିନ ମସ୍କୋରେ ଉଦ୍ୟୋଗପତି ଓ ବ୍ୟବସାୟୀଙ୍କ ସହ ଏକ ବାର୍ଷିକ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ ।
ଟ୍ରମ୍ପଙ୍କ ଫୋନ କଲ୍ ରୁଷ ସମୟ ଅନୁସାରେ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ସ୍ଥିରିକୃତ ଥିଲା । କାର୍ଯ୍ୟକ୍ରମର ଆୟୋଜକ ଠିକ୍ ୪ଟାରେ ପୁଟିନଙ୍କୁ ଟ୍ରମ୍ପଙ୍କ ଫୋନ କଲ୍ ବିଷୟରେ ମନେ ପକାଇ ଦେଇଥିଲେ । ଏହାର ପ୍ରତିକ୍ରିୟାରେ ପୁଟିନ ଏକ ସ୍ମିତହାସ୍ୟ ଦେଇ କଥାକୁ ଏଡାଇ ଦେଇଥିଲେ । ଏହା ପରେ ପୁଟିନ ସନ୍ଧ୍ୟା ୫ଟାରେ କ୍ରେମଲିନ ପହଞ୍ଚିଥିଲେ ଏବଂ ଟ୍ରମ୍ପଙ୍କ ସହ ଫୋନରେ କଥା ହୋଇଥିଲେ ।
ଅନେକ ଲୋକ ଏହାକୁ ଟ୍ରମ୍ପଙ୍କ ଜାଣିଶୁଣି ଅପମାନ କରାଯାଇଥିବା କହୁଛନ୍ତି । ଜଣେ ୟୁଜର ଏକ୍ସରେ ଲେଖିଛନ୍ତି, ନେତାମାନଙ୍କୁ ଅପେକ୍ଷା କରାଇବା ପୁଟିନଙ୍କ ଏକ ପୁରୁଣା ଖେଳ । ଆଉ ଜଣେ ଲେଖିଛନ୍ତି, ପୁଟିନ ଚେତାବନୀକୁ ଅଣଦେଖା କରି ଟ୍ରମ୍ପଙ୍କୁ ଦୁନିଆ ସାମ୍ନାରେ ଅପମାନିତ କରିଛନ୍ତି । ଅନ୍ୟ ଜଣେ ୟୁଜର କହିଛନ୍ତି, ପୁଟିନ ଟ୍ରମ୍ପଙ୍କୁ ନିଜ ହିସାବରେ ବ୍ୟବହାର କରିଛନ୍ତି । ବାସ୍ତବରେ ପୁଟିନ ଅସ୍ତ୍ରବିରତି ଚାହୁଁ ନାହାନ୍ତି । ସେ ନିଜର ଏଜେଣ୍ଡା ଜାରି ରଖି ଦୁନିଆକୁ ଦ୍ୱନ୍ଦ୍ୱରେ ରଖିବାକୁ ଚାହାନ୍ତି ।