ମହାକାଶକୁ ୮ ଦିନ ପାଇଁ ଯାଇ ୯ ମାସ ହେଲା ଫଶି ରହିଥିବା ସୁନୀତା ୱିଲିୟମସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଏବେ ପୃଥିବୀକୁ ଫେରିଛନ୍ତି । ବୁଧବାର ଭୋର ୩.୨୭ ସମୟରେ, ତାଙ୍କର ଡ୍ରାଗନ କ୍ୟାପସୁଲ ଆମେରିକାର ଫ୍ଲୋରିଡା ନିକଟରେ ସମୁଦ୍ରରେ ଲ୍ୟାଣ୍ଡ କରିଥିଲା। ତେବେ ମହାକାଶରେ ତାଙ୍କ ୯ ମାସର ସମୟ କିଭଳି ଥିଲା, ଏତେ ମାସ ଧରି ସେମାନେ ଖାଉଥିଲେ କଣ, କିଭଳି ରହିଥିଲେ, ଏତେ ଦିନ ଯାଏଁ କଣ କରୁଥିଲେ ତାହା ଜାଣିବାକୁ ଏବେ ସମସ୍ତେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି ।
ସୁୂନୀତା ୱିଲୟମସ ଏବଂ ବୁଚ୍ ମହାକାଶ ୫ ଜୁନ୍ ୨୦୨୪ ମସିହାରେ ଆଇଏସଏସରେ ପହଞ୍ଚିଥିଲେ । ସେମାନଙ୍କ ଏହି ଯାତ୍ରା ଥିଲା କେବଳ ୮ଦିନ ପାଇଁ । ହେଲେ ସେଠାରେ ପହଞ୍ଚିବା ପରେ କିଛି ବୈଷୟିକ ତ୍ରୁଟି (ଟେକ୍ନିକାଲ ସମସ୍ୟା) ପାଇଁ ଦୁହେଁ ମହାକାଶରେ ଫଶି ରହିଥିଲେ । ତେବେ ଏହି ୯ ମାସ ଭିତରେ ସେମାନେ କଣ କରୁଥିଲେ ।
୯ ମାସର ଯାତ୍ରା:
ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସାର ରିପୋର୍ଟ ମୁତାବିକ, ସୁନୀତା ୱିଲୟମସ୍ ୯ମାସ ଭିତରେ ୨୮୬ ଦିନ ମଧ୍ୟରେ ୯ ଶହ ଘଣ୍ଟାର ରିସର୍ଚ୍ଚ କରିଥିଲେ । ଏଥିରେ ପାଖାପାଖି ୧୫୦ ଟି ଏକ୍ସପେରିମେଣ୍ଟ (ପରୀକ୍ଷଣ) କରିଛନ୍ତି । ଏଥିସହ ସେ ୯ ଥର ସ୍ପେଶୱାର୍କ ମଧ୍ୟ କରିଛନ୍ତି । ସ୍ପେଶଷ୍ଟେସନ ବାହାରେ ୬୨ ଘଣ୍ଟା, ୯ ମିନିଟ୍ ଅର୍ଥାତ୍ ୯ ଥର ସ୍ପେଶୱାର୍କ କରିଛନ୍ତି ସୁନୀତା ।
କେଉଁ ରିସର୍ଚ୍ଚ ଉପରେ କଲେ କାମ?
ସୁନୀତା ୱିଲୟମ ଆଇଏସଏସ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ କାମ କରିଛନ୍ତି । ଏଥିରେ ମାଧ୍ୟାକର୍ଷଣ ଉପରେ ଗବେଷଣା, ଇନ୍ଧନ କୋଷ, ରିଆଟର୍ସ, ଜୈବ ନ୍ୟୁଟ୍ରିଏଣ୍ଟସ ପ୍ରକଳ୍ପ, ଜୀବାଣୁର ବୈଜ୍ଞାନିକ ବ୍ୟବହାର ଅନ୍ତଭୁର୍କ୍ତ ଥିଲା । ତାଙ୍କ ଦ୍ୱାରା କରାଯାଇଥିବା ବାୟୋନ୍ୟୁଟ୍ରିଏଣ୍ଟ୍ ଅନୁସନ୍ଧାନ ମହାକାଶଚାରୀଙ୍କ ପାଇଁ ଉପଯୋଗୀ ପ୍ରମାଣିତ ହେବ କାରଣ ଏହା ମହାକାଶରେ ଯାତ୍ରୀମାନଙ୍କୁ ନୂତନ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସାହାଯ୍ୟ କରିଥାଏ ।
୯ ମାସ ଧରି କଣ ଖାଉଥିଲେ?
ସୁନୀତା ୮ ଦିନ ପାଇଁ ମହାକାଶକୁ ଖାଦ୍ୟ ନେଇ ଯାଇଥିଲେ, ହେଲେ ସେଠାରେ ତାଙ୍କୁ ୯ ମାସ ରହିବାକୁ ପଡ଼ିଲା । ଏହି ୯ ମାସ ଭିତରେ ସେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଛନ୍ତି । ସକାଳର ଜଳଖିଆ(ବ୍ରେକଫାଷ୍ଟ)ରେ ଗହମଜାତୀୟ ଖାଦ୍ୟ ସହ ପାଉଡର କ୍ଷୀର ଖାଉଥିଲେ । ଏଥିସହିତ ପିଜା, ଚିଙ୍ଗୁଡି ମାଛ କକଟେଲ୍ସ, ପୋଡ଼ା ଚିକେନ, ଚୁନା ମାଛ ମଧ୍ୟ ଖାଉଥିଲେ, କମ୍ ପରିମାଣର ଫଳ, ପନିପରିବା ଖାଉଥିଲେ ସୁନୀତା । ପ୍ରତି ୩ ମାସରେ ସ୍ପେସ୍ ଷ୍ଟେସନକୁ ଖାଦ୍ୟ ଯାଉଥିଲା । ଖାଦ୍ୟ ମୁଖ୍ୟତଃ ଶୁଖିଲା ରହୁଥିଲା । ଖାଦ୍ୟକୁ ଗରମ କରି ଖାଉଥଲେ ୨ ମହାକାଶଚାରୀ ସୁନୀତା ଓ ତାଙ୍କ ସହଯୋଗୀ । ମାଂସ ଓ ଅଣ୍ଡା ପୃଥିବୀରୁ ରନ୍ଧା ହୋଇ ପଠାଯାଉଥିଲା । ଆବଶ୍ୟକ ସମୟରେ ଗରମ କରି ସେ ଦୁହେଁ ଏହାକୁ ଖାଉଥିଲେ । ତେବେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସେ ଦୁହେଁ ମ୍ୟାଗନେଟିକ୍ ଟ୍ରେର ବ୍ୟବହାର କରୁଥିଲେ । ସ୍ପେଶ ଷ୍ଟେସନରେ ପିଇବା ପାଇଁ ୫୩୦ ଗ୍ୟାଲନର ପାଣି ଟ୍ୟାଙ୍କ ଥିଲା । ଏସବୁ ଖାଦ୍ୟ ଖାଇ ଦୁହେଁ ୯ମାସ ଜୀବନ ବିତାଇଛନ୍ତି ।
ଅଧିକ ପଢନ୍ତୁ: ସରିଲା ଅପେକ୍ଷା; ମହାକାଶରୁ ଫେରିଲେ ଭାରତୀୟ ବଂଶୋଦ୍ଭବ ସୁନୀତା