ୱାଶିଂଟନ: ଦୀର୍ଘ ୯ ମାସ ଅପେକ୍ଷା ଅନ୍ତ ଘଟିଛି । ସୁରକ୍ଷିତ ଭାବରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସହ ୨ଜଣ ମହାକାଶଚାରୀ ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି । ସୁନୀତାଙ୍କ ସହ ୪ ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇଆଣିବାକୁ ବହୁ ଚେଷ୍ଟା ଆଜି ସଫଳ ହୋଇଛି । ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ଡ୍ରାଗନ୍ କ୍ୟାପସୁଲ୍ ଆମେରିକାର ଫ୍ଲୋରିଡ଼ା ତଟରେ ଅବତରଣ କରିଛି । ସୁନୀତାଙ୍କ ମୁହଁରେ ହସ ଖେଳିଯିବା ସହିତ ସେ ବହୁ ଆନନ୍ଦିତ ଅଛନ୍ତି ।
ସୁନୀତା ୱିଲିୟମ୍ସଙ୍କ ସହ ୪ ଜଣ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ମଙ୍ଗଳବାର ୧୦ଟା ୩୫ରେ ଇଣ୍ଟରନ୍ୟାସନାଲ ସ୍ପେଶ ଷ୍ଟେସନରୁ ଡ୍ରାଗନ୍ ସ୍ପେଶକ୍ରାଫ୍ଟର ଅନଡକିଂ ପ୍ରକ୍ରିୟା ସଫଳ ହୋଇଥିଲା । ଯାହା ମହାକାଶରୁ ସୁନୀତା ଓ ତାଙ୍କ ସାଥିଙ୍କୁ ନେଇ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସୁରକ୍ଷିତ ଭାବରେ ମଧ୍ୟ ପୃଥିବୀରେ ପହଞ୍ଚାଇଦେଇଛି । ଏବେ ସବୁଠି ଖୁସିର ଲହରୀ ଖେଳିଯାଇଛି ।
ମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କୁ ଭାରତ ଆସିବାକୁ ଚିଠି ମାଧ୍ୟମରେ ନିମନ୍ତ୍ରଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁନୀତା ଏତେ ଦିନ ମହାକାଶରେ ରହିବା ପରେ କିଭଳି ସେଠାକାର ଅନୁଭୂତି ତାହା ଜାଣିବାକୁ ସାରା ଦେଶ ଅପେକ୍ଷା କରି ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି ।
ଗତ ୨୦୨୪ ଜୁନ୍ ୫ ତାରିଖରେ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥି ମହାକାଶରେ ପହଞ୍ଚିଥିଲେ। କିନ୍ତୁ ମହାକାଶଯାନରେ ତ୍ରୁଟି ଦେଖାଯିବାରୁ ପୃଥିବୀକୁ ଫେରିବାକୁ ସେମାନଙ୍କର ବିଳମ୍ବ ହୋଇଥିଲା। ଶେଷରେ ସେମାନେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି ।