ପ୍ରାୟ ୨ ମାସର ନୀରବତା ପରେ ଗାଜାରେ ପୁଣି ଗର୍ଜିଛି ଇସ୍ରାଏଲ ତୋପ । ଗାଜା ଉପରେ ବଡ଼ ଧରଣର ଏୟାରଷ୍ଟ୍ରାଇକ ହୋଇଛି, ଯେଉଁଥିରେ ୪ଶହ ଜଣ ପ୍ରାଣ ହରାଇଛନ୍ତି । ୧୯ ଜାନୁୟାରୀରେ ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ପରେ ଏ ହେଉଛି ସବୁଠୁ ଭୟଙ୍କର ଆକ୍ରମଣ । ମୃତକଙ୍କ ମଧ୍ୟରେ ଅନେକ ମହିଳା, ବୟସ୍କ ଓ ଶିଶୁ ରହିଛନ୍ତି । ତେବେ ହମାସକୁ ମୂଳପୋଛ କରିବାକୁ ପ୍ରଧାନମନ୍ତ୍ରୀ ନିତ୍ୟାନେହୁଙ୍କ ଏ ଯୋଜନା ବୋଲି କୁହାଯାଉଛି ।
ହମାସ ସହ ଅସ୍ତ୍ରବିରତି ଆଲୋଚନା ଆଗକୁ ବଢୁନଥିବାରୁ ଆକ୍ରମଣ କରାଇଥିବା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଅସ୍ତ୍ରବିରତିର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୧ ତାରିଖରେ ଶେଷ ହୋଇଥିବା ବେଳେ ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଉଥିବା ଇସ୍ରାଏଲ ସେନା କହିଛି। ଉତ୍ତର ଗାଜା ଖାଲି କରିବାକୁ କୁହାଯାଇଥିବା ବେଳେ ହମାସ ଉପରେ ଚାପ ପକାଇବାକୁ ଗାଜାରୁ ମିଶର ଯାଉଥିବା ରାଫା କ୍ରସିଂ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ୍ । ଏହାଦ୍ବାରା ରୋଗୀଙ୍କ ପାଖରେ ସ୍ବାସ୍ଥ୍ୟସେବା ପହଞ୍ଚି ପାରିବନି । ସେହିପରି ଗାଜାକୁ ରିଲିଫ ସାମଗ୍ରୀ ନେଇ ଯାଉଥିବା ଗାଡି ରୋକାଯାଉଛି ।
ଅସ୍ତ୍ରବିରତି ଚୁକ୍ତି ଅନୁସାରେ ହମାସ ୩୩ ଇସ୍ରାଏଲି ବନ୍ଧକଙ୍କୁ ମୁକ୍ତ କରିଥିଲା। ବଦଳରେ ଇସ୍ରାଏଲ୍ ୨ହଜାର ପାଲେଷ୍ଟାଇନ କଏଦୀଙ୍କୁ ଛାଡିଥିଲା । ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପରେ ୫୯ ବନ୍ଧକଙ୍କୁ ଛାଡିଥାନ୍ତା ହମାସ । ତେବେ ତା ପୂର୍ବରୁ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ଇସ୍ରାଏଲ୍ । ସେପଟେ ହମାସ ଇସ୍ରାଏଲୀ ବନ୍ଧକଙ୍କୁ ମୁକ୍ତ କରିବାକୁ ମନା କରିବା ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଦୂତ ଷ୍ଟିଭ୍ ଓ୍ବିଟକଫଙ୍କ ପ୍ରସ୍ତାବ ଅସ୍ବୀକାର କରିଥିବା ଇସ୍ରାଏଲ୍ କହିଛି । ତେଣୁ ହମାସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛି ଇସ୍ରାଏଲ୍ ।