ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଧରି ଫୋନରେ ଆଲୋଚନା ହୋଇଛି । ଏହି କଥାବାର୍ତ୍ତା ସମୟରେ ଦୁଇ ନେତା ୟୁକ୍ରେନରେ ଜାରି ଯୁଦ୍ଧ ରୋକିବା ପାଇଁ ୩୦ ଦିିନିଆ ଅସ୍ଥାୟୀ ଯୁଦ୍ଧବିରାମ ଉପରେ ସହମତି ପ୍ରକାଶ କରିଛନ୍ତି । କିନ୍ତୁ ପୁଟିନ ଟ୍ରମ୍ପଙ୍କୁ ଜଣାଇ ଦେଇଛନ୍ତି ଯେ, ଯଦି ଆମେରିକା ଓ ଏହାର ସହଯୋଗୀ ଦେଶ ୟୁକ୍ରେନକୁ ସୈନ୍ୟ ଓ ଗୁଇନ୍ଦା ସହାୟତା ଦେବା ବନ୍ଦ ନ କରିବେ ତେବେ ଏହି ସଂଘର୍ଷ ସଂପୂର୍ଣ୍ଣ ଭାବେ ସମାପ୍ତ ହେବ ନାହିଁ ।
ହ୍ୱାଇଟ୍ ହାଉସ୍ ଅନୁଯାୟୀ, ଦୁଇ ନେତା ସହମତି ପ୍ରକାଶ କରିଛନ୍ତି ଯେ, ଯୁଦ୍ଧ ବନ୍ଦ ହେବା ଉଚିତ୍ ଏବଂ ଏହାକୁ ଏକ ସ୍ଥାୟୀ ଶାନ୍ତି ସହିତ ସମାପ୍ତ କରାଯିବା ଉଚିତ୍ । ଟ୍ରମ୍ପ ଓ ପୁଟିନ ଏହାକୁ ନେଇ ସହମତି ହୋଇଛନ୍ତି ଯେ, ୟୁକ୍ରେନ ଓ ରୁଷକୁ ନିଜର ପ୍ଲାଣ୍ଟ ଓ ମୌଳିକ ସୁବିଧା ଢାଞ୍ଚା ଉପରେ ଆକ୍ରମଣ କରିବାରୁ ନିବୃତ୍ତ ହେବାକୁ ପଡିବ । ଏହାରି ଆଧାରରେ ଏକ ଉର୍ଜା ଓ ଇନଫ୍ରାଷ୍ଟ୍ରକଚର ଯୁଦ୍ଧବିରାମ ଲାଗୁ କରାଯିବ ।
ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି ଯେ, ଏହି ଯୁଦ୍ଧ କେବେ ଆରମ୍ଭ ହେବାର ନ ଥିଲା । ଏହାକୁ ପୂର୍ବରୁ ସଦଭାବନା ଶାନ୍ତି ପ୍ରୟାସ ସହିତ ସମାପ୍ତ କରି ଦେବାର ଥିଲା । ଏହା ବ୍ୟତୀତ ବ୍ଲାକ ସିରେ ସ୍ଥାୟୀ ଶାନ୍ତିକୁ ନେଇ ଶୀଘ୍ର ଆଲୋଚନା ଆରମ୍ଭ ହେବ । ଏହି ଆଲୋଚନା ମଧ୍ୟପ୍ରାଚ୍ୟରେ ହେବ । କିନ୍ତୁ ଏଥିରେ ସାମିଲ ପ୍ରତିନିଧିଙ୍କ ନାଁ ସ୍ପଷ୍ଟ ହୋଇ ନାହିଁ । ହ୍ୱାଇଟ୍ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଦୁଇ ନେତା ମଧ୍ୟପ୍ରାଚ୍ୟରେ ଭବିଷ୍ୟତରେ ସଂଘର୍ଷ ରୋକିବା ପାଇଁ ସହଯୋଗ ଉପରେ ଆଲୋଚନା କରିଛନ୍ତି ।
ଅନ୍ୟପଟେ ୟୁକ୍ରେନ ଓ ଏହାର ସହଯୋଗୀ ୟୁରୋପୀୟ ଦେଶର ଆଶଙ୍କା ଏହା ଯେ, ରୁଷ ଏହି ସହମତିକୁ ଭାଙ୍ଗିପାରେ ଏବଂ ଭବିଷ୍ୟତରେ ପୁଣି ଆକ୍ରମଣ କରିପାରେ । ଟ୍ରମ୍ପଙ୍କ ଯୁଦ୍ଧ ସମାପ୍ତ ପ୍ରତିଶ୍ରୁତିକୁ ଦେଖି ୟୁରୋପୀୟ ଦେଶର ଆଉ ଏକ ଚିନ୍ତା ଏହା ଯେ, ରୁଷ ଏହି ସ୍ଥିତିର ଫାଇଦା ଉଠାଇ ଅତିରିକ୍ତ ସର୍ତ୍ତ ନ ରଖୁ ।