ଆମେରିକାରେ ତାଣ୍ଡବ ରଚିଲା ଟର୍ଣ୍ଣାଡୋ। ଏହି ପ୍ରାକୃତିକ ଦୁର୍ବିପାକରେ ଦୁଇ ଶିଶୁଙ୍କ ସମେତ ମୋଟ୍ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଟର୍ଣ୍ଣାଡୋ ଟେକ୍ସାସ୍, ଆରକାନାସ୍, ଓକାଲୋହୋମା, ମିସୌରୀ ଏବଂ ଇଲିନୋଇସ୍ ଭଳି ୬ଟି ରାଜ୍ୟକୁ ପ୍ରଭାବିତ କରିଛି। ସୋସିଆଲ୍ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଘୂର୍ଣ୍ଣିବଳୟ ଘରର ଛାତ ଉଡାଇ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ରବିବାର ଆମେରିକାର ମଧ୍ୟ ମିସିସିପି, ଓହିୟୋ ଓ ଟେନେସୀ ନଦୀ ନିକଟରେ ଥିବା ବିଭିନ୍ନ ଅଂଚଳରେ କୁଆପଥର ସହ ପବନ ବହିଥିଲା। ଯାହାଫଳରେ ଓକାଲୋହୋମା ସୀମା ନିକଟ ଟେକ୍ସାସର କୁକ୍ କାଉଣ୍ଟିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ଦୁଇ ଏବଂ ପାଞ୍ଚ ବର୍ଷ ବୋଲି ଜଣାପଡିଛି। ଆସୋସିଏଟେଡ୍ ପ୍ରେସ ରିପୋର୍ଟ ଅନୁସାରେ, ଗୋଟିଏ ଘରୁ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ମିଳିଛି।