ଲାହୋର: ପାକିସ୍ତାନରେ ହିନ୍ଦୁଙ୍କ ସୁରକ୍ଷା ଚିନ୍ତାଜନକ ରହିଛି। ସେମାନଙ୍କୁ କ୍ରମାଗତ ନିର୍ଯାତନା ଦିଆଯାଉଛି। ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ପଞ୍ଜାବ ପ୍ରଦେଶରେ ୩ ଜଣ ହିନ୍ଦୁଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ ଏବଂ ବଦଳରେ ସେମାନଙ୍କ ଲୋକମାନଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ଲାହୋରଠାରୁ ୪୦୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଥିବା ରହିମ ୟାର୍ ଖାନ୍ ଜିଲ୍ଲାରେ ଏହି ଘଟଣା ଘଟିଛି।
ଶମନ, ସମୀର ଓ ସାଜନ ଭୋଙ୍ଗ ଅଞ୍ଚଳର ଏକ ଛକ ନିକଟରେ ଠିଆ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ଧରି ୫ ଜଣ ଦୁର୍ବୃତ୍ତ ପହଞ୍ଚିଥିଲେ। ବନ୍ଧୁକ ଦେଖାଇ ତାଙ୍କୁ ଅପହରଣ କରି ନେଇଥିଲେ। ଗ୍ୟାଙ୍ଗ୍ ଲିଡର ଆଶିକ୍ କୋରାଇ ଅହମ୍ମଦପୁର ଲାମା ଥାନା ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ଜାରି କରି ତାଙ୍କ ପରିବାରର ୧୦ ଜଣସଦସ୍ୟଙ୍କୁ ମୁକ୍ତ କରନ୍ତୁ ନଚେତ୍ ସେମାନେ ହିନ୍ଦୁ ଯୁବକଙ୍କୁ ହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ସେମାନେ ପୁଲିସ ଉପରେ ମଧ୍ୟ ଆକ୍ରମଣ କରିବେ। ଭିଡିଓରେ ସମସ୍ତ ହିନ୍ଦୁ ଯୁବକଚେନ୍ରେ ବାନ୍ଧି ସେମାନଙ୍କୁ ମୁକ୍ତ କରିବାକୁ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଥିବା ଦେଖିବାକୁ ମିଳିଛି। ଗତବର୍ଷ ରହିମ ୟାର୍ ଖାନ୍ ଜିଲ୍ଲାର କାଚା ଅଞ୍ଚଳରେ କିଛି ଅପରାଧୀ ଦୁଇଟି ପୁଲିସ ଗାଡ଼ି ଉପରେ ଆକ୍ରମଣ କରି ୧୨ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିବା ସହ ୭ ଜଣ ଆହତ ହୋଇଥିଲେ।
ଆଫଗାନିସ୍ତାନ ସୀମାନ୍ତ ଖୈବର ପଖ୍ତୁନଖୱା ପ୍ରଦେଶରେ ତେହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ର ଲଢୁଆମାନେ ଗୁରୁବାର ଦିନ ପାକିସ୍ତାନରେ ୟୁରେନିୟମ ଏବଂ ପ୍ଲୁଟୋନିୟମ ଖନନରେ ସମ୍ପୃକ୍ତ ୧୬ ଜଣ ଶ୍ରମିକଙ୍କୁ ଅପହରଣ କରିଛନ୍ତି। ଟିଟିପି ଲଢୁଆମାନେ ଲକକି ମାର୍ୱାଟ ଜିଲ୍ଲାରେ ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ିକୁ ଅଟକାଇ ବନ୍ଧୁକ ଦେଖାଇ ଶ୍ରମିକମାନଙ୍କୁ ଜୋରଜବରଦସ୍ତ ଓହ୍ଲାଇବା ସହ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ।
ଅଧିକାରୀମାନେ କହିଛନ୍ତି ଯେ ଖଣି କର୍ମଚାରୀମାନେ ଯେଉଁ ଖଣି ପ୍ରକଳ୍ପରେ କାମ କରୁଥିଲେ ତାହା ପାକିସ୍ତାନର ଆଣବିକ ଶକ୍ତି ଆୟୋଗର ଥିଲା। ଅପହୃତ ୧୬ ଜଣ ଖଣି ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଉଦ୍ଧାର କରିଛି। ଗୁଳିବିନିମୟ ବେଳେ ଉଦ୍ଧାର ହୋଇଥିବା ୮ ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି।