ମାନବ ଚାଲାଣ ରାକେଟର ପର୍ଦ୍ଦାଫାସ କରିବା ପାଇଁ ନେପାଳ ପୋଲିସ ଆରମ୍ଭ କରିଥିବା 'ଅପରେସନ ଡଙ୍କି' କୁ ଏକ ସଫଳତା ମିଳିଛି। ଏହି ଅପେରସନରେ ୧୧ ଜଣ ଭାରତୀୟ ବନ୍ଧକଙ୍କୁ ଉଦ୍ଧାର କରିବା ସହ ୮ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ନେପାଳ ପୋଲିସ। ଉଦ୍ଧାର କରାଯାଇଥିବା ବନ୍ଧକମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ଜଣାପଡିଛି । ଆମେରିକା ପଠାଇବାର ପ୍ରଲୋଭନ ଦେଖାଇ ମାନବ ଚାଲାଣ କରିବାକୁ ଯୋଜନା କରୁଥିଲା ଏହି ରାକେଟ । ଏହି ରାକେଟର ପର୍ଦ୍ଦାଫାସ କରିବା ପାଇଁ 'ଅପରେସନ ଡଙ୍କି' ଯୋଜନା କରଯାଇଥିଲା।
ନେପାଳ ପୋଲିସର ସୂଚନା ଅନୁଯାୟୀ, ନେପାଳର କାଠମାଣ୍ଡୁ ଅଞ୍ଚଳରେ ୨ ସପ୍ତାହରୁ ଅଧିକ ଦିନ ହେଲା ଏକ ଭଡା ଘରେ 11 ଜଣଙ୍କୁ ବନ୍ଧକ ଭାବେ ରଖାଯାଇଥିବା ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କାଠମାଣ୍ଡୁ ଜିଲ୍ଲା ପୋଲିସ 'ଅପରେସନ ଡଙ୍କି' ମାଧ୍ୟମରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଶାହରୁଖ ଖାନଙ୍କ ହିନ୍ଦୀ ଫିଲ୍ମ 'ଡଙ୍କି'ର କାହାଣୀ ଭଳି ଏହି ଘଟଣା ଘଟିଥିବାରୁ ଏହାର ନାମ 'ଅପରେସନ ଡଙ୍କି' ରଖାଯାଇଥିବା କହିଛି ପୋଲିସ। ତେବେ ଘଟଣାସ୍ଥଳରେ ଚଢାଉ କରି ୧୧ ଜଣଙ୍କୁ ଉଦ୍ଧାର କରିବା ସହ ୮ଜଣ ମାଫିଆଙ୍କୁ ଗିରଫ କରିଥିଲା ପୋଲିସ । ସମସ୍ତ ବନ୍ଧକମାନେ ଓ ମାଫିଆମାନେ ଭାରତୀୟ ହୋଇଥିବା ବେଳେ ସେମାନେ ପଞ୍ଜାବ ଓ ହରିୟାଣାର ବାସିନ୍ଦା ବୋଲି ଜଣାପଡିଛି। ସେମାନଙ୍କୁ ମେକ୍ସିକୋ ବାଟରେ ଆମେରିକା ପଠାଇବା ପ୍ରଲୋଭନ ଦେଖାଇ ବନ୍ଧକ ରଖାଯାଇଥିଲା।
ଉଦ୍ଧାର ଭାରତୀୟମାନଙ୍କୁ କାଠମାଣ୍ଡୁ ସ୍ଥିତ ଏକ ହୋଟେଲରେ ରଖାଯାଇଛି । ଭାରତୀୟ ଦୂତାବାସ, ବୈଦେଶିକ ମନ୍ତ୍ରାଳୟ ଓ ଅନ୍ୟ ସମ୍ୱନ୍ଧୀୟ ଅଧିକାରୀଙ୍କ ସହ ଏନେଇ ଆବଶ୍ୟକୀୟ ଆଲୋଚନା ପରେ ସେମାନଙ୍କୁ ଭାରତକୁ ଅଣାଯିବ । ତେବେ ସମସ୍ତ ୧୧ ଜଣ ବନ୍ଧକମାନଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦିଆଯାଇଥିବା ନେଇ ସେମାନେ କହିଛନ୍ତି। ଅଭିଯୁକ୍ତମାନଙ୍କ ବିରୋଧରେ ନେପାଳ ଆଇନ ଅନୁସାରେ ଅପହରଣ, ବନ୍ଧକ ଓ ମାନବ ଚାଲାଣ ସମ୍ୱନ୍ଧୀୟ ଧାରା ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ଅଧିକ ପଢନ୍ତୁ: ନଭଲନିଙ୍କ ମୃତ୍ୟୁ: ପୁଟିନଙ୍କୁ ଦାୟୀ କଲେ ବାଇଡେନ୍