ଓଡ଼ିଶାର ବୋହୂ ବନିଲେ ଜର୍ମାନୀର ଝିଅ । ଓଡ଼ିଶାର ମାଟି, ପାଣି, ପବନ ଓ ଭାଷା ସଂସ୍କୃତି ପ୍ରେମରେ ପଡ଼ି ଦିବ୍ୟାଙ୍ଗ ଯୁବକ ଶିବାଜୀ ପଣ୍ଡାଙ୍କୁ କଲେ ଜୀବନ ସାଥୀ। ଇଂଲଣ୍ଡରେ ପ୍ରଫେସର ଚାକିରି ଛାଡ଼ି ସ୍ୱାମୀଙ୍କ ସହିତ ଓଡ଼ିଶା ଫେରି ଆସିଲେ। ଓଡିଶାକୁ ଆସିବାପରେ ମହାନଦୀ କୂଳରେ ତିଆରି କଲେ ଇକୋ-ଭିଲେଜ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସିନ୍ଦୁରପୁର ଗାଁର ଶିବାଜୀ ପଣ୍ଡା। ନା ଶୁଣି ପାରନ୍ତି ନା କହିପାରନ୍ତି। ତଥାପି ସେ ସାଧାରଣ ପିଲାଙ୍କ ପରି ଗାଁ ସ୍କୁଲରେ ପାଠ ପଢ଼ିଥିଲେ। ଦଶମ ପାସ୍ କରିବା ପରେ ସୋନପୁର ଯାଇ ସେଠାରେ ରାଜ କଲେଜରୁ ବିଏ ପାସ୍ କରିଥିଲେ। ତା’ପରେ ସେ ଅଷ୍ଟ୍ରେଲିଆ ଯାଇଥିଲେ। ସେଠାରେ ସାଙ୍କେତିକ ଭାଷାରେ ଏମ୍ଏ ପଢ଼ିଥିଲେ। କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ଭଲ ମାର୍କରେ ସେ ଏମ୍ଏ ପାସ୍ କରିଥିଲେ।
ସେ ଏମ୍ଏରେ ଭଲ ମାର୍କ ରଖିଥିବାରୁ ଇଂଲଣ୍ଡର ୟୁନିର୍ଭସିଟି ଅଫ୍ ସେନ୍ଟ୍ରାଲ୍ ଲାଙ୍କାସିରରେ ସାଙ୍କେତିକ ଭାଷାର ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ। ଯେଉଁମାନେ କହିପାରନ୍ତି ନାହିଁ ଓ ଶୁଣିପାରନ୍ତି ନାହିଁ ସେମାନଙ୍କ ପାଇଁ ଆଦର୍ଶ ସାଜିଥିଲେ ପ୍ରଫେସର ପଣ୍ଡା। ସେ ସେହି ବିଶ୍ୱବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜର୍ମାନୀର ଯୁବତୀ ପ୍ରଫେସର ଉଲରିକ ଜେସନଙ୍କୁ ଭେଟିଥିଲେ। କେବଳ ଏତିକି ଫରକ- ପ୍ରଫେସର ପଣ୍ଡା ହେଉଛନ୍ତି ଜଣେ ଦିବ୍ୟାଙ୍ଗ କିନ୍ତୁ ପ୍ରଫେସର ଜେସନ୍ ଜଣେ ସ୍ୱୟଂସମ୍ପୂର୍ଣ୍ଣ ବ୍ୟକ୍ତି। ଅର୍ଥାତ ସେ କହିପାରନ୍ତି, ଶୁଣିପାରନ୍ତି, ଚାଲିପାରନ୍ତି। ଉଲରିକ ଜେସନ ପ୍ରଫେସର ପଣ୍ଡାଙ୍କ ଚାଲିଚଳଣ ଓ ଶାନ୍ତ ସ୍ୱଭାବରେ ଫିଦା ହୋଇ ତାଙ୍କୁ ମନ ଦେଇବସିଥିଲେ। ପରେ ସାଙ୍କେତିକ ଭାଷାରେ ନିଜ ମନ କଥା ଓ ବ୍ୟଥାକୁ ପ୍ରଫେସର ପଣ୍ଡାଙ୍କ ଆଗରେ ବଖାଣି ଥିଲେ।
କଥା କହିନପାରିଲେ ବି ପ୍ରଫେସର ପଣ୍ଡା କିନ୍ତୁ ସବୁ ବୁଝିପାରିଥିଲେ। ଆଉ ପ୍ରଫେସର ଉଲରିକ ଜେସନଙ୍କ ପ୍ରେମ ନିବେଦନକୁ ସାଦରେ ଗ୍ରହଣ କରିଥିଲେ। ତା’ପରେ ଉଭୟଙ୍କ ଭିତରେ ଚାଲିଲା ନୀରବ ପ୍ରେମ। ପରବର୍ତ୍ତୀ ସମୟରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। ଓଡ଼ିଆଣୀ ବେଶରେ ସଜେଇ ହୋଇ ସେ ଶାଢ଼ୀ ପିନ୍ଧିଥିଲେ। ଆଉ ଲଣ୍ଡନର ଏକ କୋର୍ଟରେ ପ୍ରଫେସର ପଣ୍ଡାଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ପ୍ରଫେସର ଉଲରିକ ଜେସନ ଓ ପ୍ରଫେସର ପଣ୍ଡା ମହାନଦୀ କୂଳରେ ଜାଗା କିଣିଥିଲେ। ଆଉ ସେଠାରେ ଗଢ଼ିଥିଲେ ଇକୋ ଭିଲେଜ୍। ସେ ଭିଲେଜର ନାଁ ଦେଇଥିଲେ ଲକ୍ଷ୍ମଣପୁର ଇକୋ ଭିଲେଜ୍। ସେଠାରେ ସେ ଗୋଟିଏ ସ୍କୁଲ ତିଆରି କରିଛନ୍ତି। ଯେଉଁଠି ମୁକ, ବିଧିର ପିଲାମାନେ ପାଠ ପଢ଼ୁଛନ୍ତି। ଜୈବିକ ପଦ୍ଧତିରେ ପନିପରିବା ଚାଷ ଠାରୁ ଆରମ୍ଭ କରି କରମଙ୍ଗା, ଲେମ୍ୱୁ, ଆମ୍ୱ, ନଡିଆ, ଚାଇନିଜ ଲେମ୍ୱୁ ଗଛ ଆଦି ୬୦ ପ୍ରକାର ଚାରା ରୋପଣ କରୁଛନ୍ତି। ବିବାହ ବନ୍ଧନରେ ବାନ୍ଧି ହୋଇ ଦମ୍ପତି ଇଂଲଣ୍ଡରେ ଲକ୍ଷାଧିକ ଟଙ୍କାର ଚାକିରି ଛାଡି ଓଡିଶା ଫେରିଆସିଥିଲେ ଆଉ ଓଡ଼ିଶାରେ ସାଧାରଣ ଜୀବନ ନିଜ ଇକୋ ଭିଲେଜରେ ଅତିବାହିତ କରୁଛନ୍ତି । ମହାନଦୀ କୂଳରେ ପ୍ରକୃତିକୁ ଉପଭୋଗ କରି ଓଡ଼ିଆଣୀଟିଏ ପରି କେତେବେଳେ ରୋଷେଇ କରୁନ୍ତି ତ ଆଉ କେତେବେଳେ ମାଆଟିଏ ହୋଇ ଗଛମାନଙ୍କ ସେବା କରୁଛନ୍ତି। ଏବେ ସେଠାକୁ ଦେଶ ବିଦେଶର ଶିକ୍ଷାବିତମାନେ ଆସୁଛନ୍ତି। ଆଉ ପ୍ରକୃତିକୁ ଉପଭୋଗ କରୁଛନ୍ତି। ବିଦେଶର ଝିଅ ହେଇକି ବି ସେ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଆପଣେଇ ସେ ଏବେ ସାରା ଦେଶରେ ଆଦର୍ଶ ପାଲଟିଛନ୍ତି ।
ଅଧିକ ପଢନ୍ତୁ :କିଲିମଞ୍ଜରୋ ପର୍ବତରେ ଓଡ଼ିଆ ଝିଅ