ୱାଶିଂଟନ୍: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ଗସ୍ତରେ ଆସୁଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟ୍ରମ୍ପ ତାଙ୍କ ପରାମର୍ଶଦାତାଙ୍କ ସହ ମଧ୍ୟ ଭାରତ ଗସ୍ତର ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି। ନିକଟରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ୱାଶିଂଟନ ଗସ୍ତ ସମୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହରେ ଭାରତର ପ୍ରତିନିଧିତ୍ୱ କରିବେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏବଂ ଏହି ଗସ୍ତର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ବର୍ଷ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ହୋଇପାରେ ବୋଲି ଅନୁମାନ କରାଯାଉଛି। ସେପଟେ ଟ୍ରମ୍ପ ମାର୍ଚ୍ଚରୁ ଜୁନ ମଧ୍ୟରେ ହ୍ୱାଇଟ ହାଉସ ବୈଠକ ପାଇଁ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିପାରନ୍ତି।
ଭାରତ ଚଳିତ ବର୍ଷ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ, ଯେଉଁଥିରେ ଡୋନାଲ୍ଡ ଟ୍ରମ୍ପ ଅଂଶଗ୍ରହଣ କରିବାର ସମ୍ଭାବନା ରହିଛି। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନାନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବା ମଧ୍ୟ ଯୋଗ ଦେବେ। ଏହି ଶିଖର ସମ୍ମିଳନୀ ଆମେରିକା ଏବଂ ଭାରତ ମଧ୍ୟରେ ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଏକ ସୁଯୋଗ ହୋଇପାରେ।
ଡୋନାଲ୍ଡ ଟ୍ରମ୍ପ ଭାରତ ବ୍ୟତୀତ ଚୀନକୁ ମଧ୍ୟ ଗସ୍ତ କରିବାକୁ ଯୋଜନା କରୁଛନ୍ତି। ତାଙ୍କର ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଲା ଉଭୟ ଦେଶ ମଧ୍ୟରେ ଆର୍ଥିକ ଓ ରାଜନୈତିକ ଉତ୍ତେଜନା ହ୍ରାସ କରିବା। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ସମୟରେ ଚୀନ ଉପରେ କଡ଼ା ଆକ୍ରମଣ ପରେ ମଧ୍ୟ ସେ ଏଥି ପାଇଁ ସେ କଠୋର ହୋଇନାହାନ୍ତି। ଏଲନ ମସ୍କ ଭଳି ପ୍ରମୁଖ ସହଯୋଗୀଙ୍କ ବ୍ୟବସାୟିକ ପ୍ରାଥମିକତାକୁ ମଧ୍ୟ ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପଛରେ ଏକ ଗୁରୁତ୍ବପୂର୍ଣ୍ଣ କାରଣ କୁହାଯାଉଛି। ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଓ ଚୀନ ଯାତ୍ରାର ଯୋଜନା ତାଙ୍କ ପ୍ରଶାସନର ବିଦେଶ ନୀତିର ମାର୍ଗଦର୍ଶନକୁ ସ୍ପଷ୍ଟ କରୁଛି।