ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ବଢିବାରେ ଲାଗିଛି ଯୁଦ୍ଧ ଆଶଙ୍କା । ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ମୋଡରେ ଇସ୍ରାଏଲ । ନିଜର ପ୍ରସ୍ତୁତିକୁ ଆହୁରି ଜୋରଦାର କରିଛି ଇସ୍ରାଏଲ । ନିଜର ସୈନ୍ୟ ଟ୍ରିପକୁ ହାଇ ଆଲର୍ଟରେ ରଖାଯାଇଛି । ଇସ୍ରାଏଲର ଆର୍ମି ରେଡିଓ ରିପୋର୍ଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି ଯେ, ସଦ୍ୟତମ ଘଟଣାକ୍ରମକୁ ଦେଖି ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି ।
ଇସ୍ରାଏଲର ସାର୍ବଜନୀନ ପ୍ରସାରକ କାନ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମରେ ପରିବର୍ତ୍ତନ କରାଯାଇଛି । ଆଇରନ ଡୋମ ଇଣ୍ଟରସେପ୍ଟର ସିଷ୍ଟମକୁ ମୁତୟନ କରାଯାଇଛି । ଇସ୍ରାଏଲ ଅଧିକାରୀଙ୍କ ଆକଳନ ଅନୁସାରେ, ଇରାନ ସେ ପର୍ଯ୍ୟନ୍ତ ଇସ୍ରାଏଲ ଉପରେ ହମଲା କରିବ ନାହିଁ, ଯେ ପର୍ଯ୍ୟନ୍ତ ଆମେରିକା ଇରାନ ଉପରେ ବଡ ହମଲା ନ କରିଛି ।
ତେବେ ଇସ୍ରାଏଲ ଏ ପର୍ଯ୍ୟନ୍ତ ରିଜର୍ଭ ଥିବା ସୈନିକଙ୍କୁ କୌଣସି ଆଦେଶ ଦିଆଯାଇ ନାହିଁ । ଏପରିକି ଆଇଡିଏଫ ପକ୍ଷରୁ କୌଣସି ଆନୁଷ୍ଠାନିକ ଟିପ୍ପଣୀ ଆସିନି । ତଥାପି ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ସମ୍ଭାବନା ରହିଛି । ଇରାନରେ ସଂପ୍ରତି ବିରୋଧ ପ୍ରଦର୍ଶନ ବଡ ରୂପ ନେଇ ସାରିଛି । ଖାମେନି ସରକାର ବଳପୂର୍ବକ ଆନ୍ଦୋଳନକୁ ଦବାଇବାକୁ ଚେଷ୍ଟା କରୁଛନ୍ତି । ଏହାକୁ ଦେଖି ଡୋନାଲ୍ଡ ଟ୍ରମ୍ପ ଇରାନର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାକୁ ଧମକ ଦେଇଛନ୍ତି । ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି
ସୂଚନାଯୋଗ୍ୟ, ଗତ ବର୍ଷ ଜୁନରେ ଇସ୍ରାଏଲ ଓ ଇରାନ ମଧ୍ୟରେ ୧୨ ଦିନିଆ ଯୁଦ୍ଧ ହୋଇଥିଲା । ଏହି ସମୟରେ ଇସ୍ରାଏଲୀ ଯୁଦ୍ଧ ବିମାନ ଇରାନର ସାମରିକ ସ୍ଥଳରେ ହମଲା କରିଥିଲା । ଉଲ୍ଲେଖନୀୟ ଇରାନରେ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ମୃତକଙ୍କ ସଂଖ୍ୟା ୨୫୭୧କୁ ବୃଦ୍ଧି ଘଟିଛି । ଆମେରିକା ଇରାନବାସୀଙ୍କୁ ସହାୟତା କରିବାକୁ ଘୋଷଣା କରିଛି । ଏହାକୁ ନେଇ ଇରାନ ସରକାର ଚିହିଁକି ଉଠିଛି । ଏସବୁ ଭିତରେ ଇସ୍ରାଏଲ ଯୁଦ୍ଧ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।
Also read: ଥାଇଲାଣ୍ଡରେ ଚଳନ୍ତା ଟ୍ରେନ ଉପରେ ଖସିପଡ଼ିଲା କ୍ରେନ୍, ୨୨ ଜଣଙ୍କ ମୃତ୍ୟୁ