ଯେରୁସେଲମ: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ବୁଧବାର କହିଛନ୍ତି ଯେ ତାଙ୍କ ସୈନ୍ୟମାନେ ଗାଜାରେ ମୁତୟନ ରହିବେ ଏବଂ ପାଲେଷ୍ଟାଇନ୍ ଅଞ୍ଚଳ ଉପରେ 'ସୁରକ୍ଷା ନିୟନ୍ତ୍ରଣ' ବଜାୟ ରଖିବେ। ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ପାଇଁ ଚାଲିଥିବା ଆଲୋଚନାର ସଫଳତା ଉପରେ ତାଙ୍କ ବୟାନ ସନ୍ଦେହ ସୃଷ୍ଟି କରିଛି।
ଗାଜା-ଇଜିପ୍ଟ ସୀମାରେ ଥିବା ଏକ ବଫର ଜୋନ୍ ପରିଦର୍ଶନ ଅବସରରେ କାଟ୍ଜ କହିଛନ୍ତି, ଗାଜାରେ ସୁରକ୍ଷା ନିୟନ୍ତ୍ରଣ ଆଇଡିଏଫ୍ (ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ) ହାତରେ ରହିବ। ଇସ୍ରାଏଲ ସେନା ଗାଜା ଷ୍ଟ୍ରିପ୍ ଭିତରେ ଥିବା ସୁରକ୍ଷା ଜୋନ୍, ବଫର ଜୋନ୍ ଏବଂ ନିୟନ୍ତ୍ରଣ ସ୍ଥିତିରେ ରହିବ ବୋଲି ସେ କହିଛନ୍ତି ଏବଂ ଇସ୍ରାଏଲ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପକୁ ଆବଶ୍ୟକ ବୋଲି ବର୍ଣ୍ଣନା କରିଛନ୍ତି। ହାମାସ ସରକାର ରହିବ ନାହିଁ, ହାମାସ ସେନା ରହିବ ନାହିଁ- ଚାଲିଥିବା ଲଢ଼େଇ ପରେ ଏକ ନୂଆ ବାସ୍ତବତା ସାମ୍ନାକୁ ଆସିବ ବୋଲି କାଟ୍ଜ କହିଛନ୍ତି।
ଏହା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏବଂ ହାମାସ ପରସ୍ପର ଉପରେ ଗାଜା ଅସ୍ତ୍ରବିରତି ଚୁକ୍ତି ଆସିବାରେ ବିଳମ୍ବ କରୁଥିବା ଅଭିଯୋଗ ଆଣିଥିଲେ। ଦୋହାରେ କତାର ଓ ଇଜିପ୍ଟର ମଧ୍ୟସ୍ଥତାରେ ହୋଇଥିବା ଆଲୋଚନା ପରେ ହାମାସ କହିଛି ଯେ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି, କିନ୍ତୁ ଇସ୍ରାଏଲ ଗାଜାରୁ ସୈନ୍ୟ ପ୍ରତ୍ୟାହାର, ଅସ୍ତ୍ରବିରତି, କଏଦୀ ଓ ବିସ୍ଥାପିତଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ନୂଆ ସର୍ତ୍ତ ରଖିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ହମାସର ଅଭିଯୋଗକୁ ଖଣ୍ଡନ କରିଛି। ଏକ ବିବୃତ୍ତିରେ କୁହାଯାଇଛି ଯେ ହମାସ ସହମତି ହୋଇଥିବା କଥାରୁ ପଛଘୁଞ୍ଚା ଦେଉଛି ଏବଂ ଆଲୋଚନାରେ ବାଧା ସୃଷ୍ଟି କରୁଛି। ଏକ ସପ୍ତାହର ଅର୍ଥପୂର୍ଣ୍ଣ ଆଲୋଚନା ପରେ ଇସ୍ରାଏଲ ମଙ୍ଗଳବାର ଦୋହାରୁ ତା'ର ବୁଝାମଣାକାରୀଙ୍କୁ ପ୍ରତ୍ୟାହାର କରିନେଇଛି। ଇସ୍ରାଏଲ ଏକ ବିବୃତ୍ତିରେ କହିଛି ଯେ ଆମର ବନ୍ଧକମାନଙ୍କୁ ମୁକ୍ତ କରିବା ପ୍ରସଙ୍ଗରେ ଆଲୋଚନା ଜାରି ରଖିବା ପାଇଁ ଦଳର ସଦସ୍ୟମାନେ ଆଭ୍ୟନ୍ତରୀଣ ପରାମର୍ଶ ପାଇଁ ଇସ୍ରାଏଲ ଫେରୁଛନ୍ତି।
ଅଧିକ ପଢ଼ନ୍ତୁ: ତାମିଲନାଡୁର ଆନ୍ନା ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରୀଙ୍କୁ ଦୁଷ୍କର୍ମ