ଚେନ୍ନାଇ: ତାମିଲନାଡୁର ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟରେ ଘଟିଥିବା ଦୁଷ୍କର୍ମଜନିତ ଘଟଣା ସମଗ୍ର ଚେନ୍ନାଇକୁ ଦୋହଲାଇ ଦେଇଛି। ତାମିଲନାଡୁ ରାଜନୀତି ସରଗରମ ହେବାରେ ଲାଗିଛି। ଏଠାରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଇଛି। ଛାତ୍ରୀ ଜଣକ ନିଜେ ଥାନାରେ ଅଭିଯୋଗ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ପୁଲିସ ମାମଲାକୁ ହାଲୁକା ଭାବେ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସୋସିଆଲ ମିଡିଆରେ ଏହି ମାମଲା ସାମ୍ନାକୁ ଆସିବା ପରେ ପୁଲିସର ତତ୍ପରତା ଦେଖାଯାଇଥିଲା। ଇତିମଧ୍ୟରେ ତାମିଲନାଡୁ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ସହ ଅଭିଯୁକ୍ତଙ୍କ ଫଟୋ ସାମ୍ନାକୁ ଆସିବା ପରେ ଏହି ମାମଲା ରାଜନୈତିକ ରୂପ ନେଇଛି।
ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୩୭ ବର୍ଷୀୟ ଅଭିଯୁକ୍ତ ବିଶ୍ୱବିଦ୍ୟାଳୟ ପରିସର ନିକଟରେ ବିରିୟାନି ବିକ୍ରି କରନ୍ତି। ଡିସେମ୍ବର ୨୩ ତାରିଖରେ ଏହି ଘଟଣା ଘଟିଥିଲା। ପୀଡ଼ିତା ଛାତ୍ରୀ ପୁଲିସରେ ଦେଇଥିବା ଅଭିଯୋଗରେ ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି।
ଛାତ୍ରୀ ଜଣକ କହିଛନ୍ତି ଯେ, ସୋମବାର ରାତି ପ୍ରାୟ ୮ଟା ବେଳେ ସେ କଲେଜ ପରିସରରେ ତାଙ୍କ ବନ୍ଧୁଙ୍କ ସହ କଥା ହେଉଥିଲେ। ଏହି ସମୟରେ ଅଭିଯୁକ୍ତ ସେଠାରେ ପହଞ୍ଚି ତାଙ୍କୁ ଯୌନ ନିର୍ଯାତନା ଦେଇଥିଲା। ଗ୍ରେଟର ଚେନ୍ନାଇ ମେଟ୍ରୋପଲିଟାନ ପୋଲିସ ଏକ ବିବୃତିରେ କହିଛି ଯେ ପୀଡ଼ିତା କୋଟ୍ଟୁରପୁରମ୍ ମହିଳା wbଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି ଏବଂ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପାଇଁ ୪ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି।
ତଦନ୍ତ ବେଳେ ବୈଜ୍ଞାନିକ ପ୍ରମାଣ ଆଧାରରେ କୋଟ୍ତୁର (କଲେଜ ନିକଟସ୍ଥ ଏକ ଅଞ୍ଚଳ)ର ଗଣସେକରନଙ୍କୁ ଏହି ଅପରାଧରେ ଗିରଫ କରାଯାଇଛି। ସନ୍ଦିଗ୍ଧ ଜଣକ ନିଜର ସ୍ୱୀକାର ବୟାନ ଦେଇଛନ୍ତି। ସେ ଫୁଟପାଥରେ ଏକ ବିରିୟାନୀ ଦୋକାନ ଚଳାଉଛନ୍ତି। ଅଭିଯୁକ୍ତ ଅନ୍ୟ ଅପରାଧରେ ସମ୍ପୃକ୍ତ କି ନାହିଁ ସେ ନେଇ ମଧ୍ୟ ତଦନ୍ତ ଚାଲିଛି ବୋଲି ପୁଲିସ କହିଛି। ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ସହଯୋଗରେ ଏହି ତଦନ୍ତ ଜାରି ରହିଛି।
ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ମଧ୍ୟ ଆକ୍ସନକୁ ଆସିଥିଲା। ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସିସିଟିଭି କ୍ୟାମେରା ଲଗାଯାଇ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ବଢ଼ାଇବା ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ ଏବଂ ମିଳିତ ସୁରକ୍ଷା ସମୀକ୍ଷା କରାଯିବ ବୋଲି ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ୬ରାଉଣ୍ଡ ଗୁଳିମାଡ଼ରେ ବିଦ୍ୟାଳୟ ନିର୍ଦ୍ଦେଶକଙ୍କ ମୃତ୍ୟୁ