ଓଟାୱା: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ବଡ ଝଟକା ଲାଗିଛି। ଉପପ୍ରଧାନମନ୍ତ୍ରୀ କ୍ରିଷ୍ଟିଆ ଫ୍ରିଲାଣ୍ଡ ସୋମବାର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରରେ ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ନେଇ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କର ମତଭେଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଟ୍ରୁଡୋଙ୍କ ସରକାରରେ ଉପପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଫ୍ରିଲାଣ୍ଡ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କୁ ଅର୍ଥ ମନ୍ତ୍ରଣାଳୟରୁ ଇସ୍ତଫା ଦେଇ ଆଉ ଏକ କ୍ୟାବିନେଟ୍ ଭୂମିକା ଗ୍ରହଣ କରିବାକୁ କହିଥିଲେ। ଫ୍ରିଲ୍ୟାଣ୍ଡଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କ ବିରୋଧରେ କ୍ୟାବିନେଟରେ ଥିବା ଫାଟ ପଦାକୁ ଆସିଛି, ଯାହା ତାଙ୍କ କ୍ଷମତା ଦଖଲ ପ୍ରତି ବିପଦ ସୃଷ୍ଟି କରିପାରେ।
କ୍ରମାଗତ ଭାବରେ ତାଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଏହି ଝଟକା ଲାଗିଛି । ଲିବରାଲ ପାର୍ଟିର ନେତା ଟ୍ରୁଡୋ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଞ୍ଜର୍ଭେଟିଭ୍ ପାର୍ଟିର ପିଏରେ ପଲିଭରଙ୍କଠାରୁ ୨୦ ପଏଣ୍ଟ ପଛରେ ରହିଛନ୍ତି। ଫ୍ରିଲାଣ୍ଡ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ଆଜି ଆମ ଦେଶ ଏକ ଗମ୍ଭୀର ଆହ୍ୱାନର ସମ୍ମୁଖୀନ ହୋଇଛି। ଗତ କିଛି ସପ୍ତାହ ଧରି ଆପଣ ଏବଂ ମୁଁ କାନାଡା ପାଇଁ ସର୍ବୋତ୍ତମ ମାର୍ଗ ବିଷୟରେ ନିଜକୁ ଅସହମତ ଅନୁଭବ କରୁଛୁ। କାନାଡା ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପଙ୍କ ଯୋଜନା ସମ୍ପର୍କରେ ସେ ଦର୍ଶାଇଛନ୍ତି।
ଫ୍ରିଲାଣ୍ଡ ଟ୍ରୁଡୋଙ୍କୁ ତାଙ୍କ ଇସ୍ତଫା ପତ୍ରରେ ସମ୍ବୋଧିତ କରି ଲେଖିଛନ୍ତି, "ଆପଣ କହିଥିଲେ ଯେ ମୁଁ ଟ୍ରେଜେରି ମନ୍ତ୍ରଣାଳୟରେ ରହିବାକୁ ଚାହୁଁନାହିଁ ଏବଂ ଅନ୍ୟ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଛନ୍ତି। ତେଣୁ ମୋ ପାଇଁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ହିଁ ଏକମାତ୍ର ସଚ୍ଚୋଟ ଓ ଫଳପ୍ରଦ ଉପାୟ ବୋଲି ମୁଁ ନିଷ୍ପତ୍ତି ନେଇଛି। ଟ୍ରମ୍ପଙ୍କ ଶୁଳ୍କ ଧମକକୁ ଗମ୍ଭୀରତାର ସହ ନେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିବା ସହ ଏହା ଆମେରିକା ସହ ଶୁଳ୍କ ଯୁଦ୍ଧ ସୃଷ୍ଟି କରିପାରେ ବୋଲି ଚେତାବନୀ ଦେଇଛନ୍ତି।
କାନାଡ଼ାରେ ବିଶେଷଜ୍ଞମାନେ ଟ୍ରୁଡୋଙ୍କ ସବୁଠାରୁ ଶକ୍ତିଶାଳୀ ମନ୍ତ୍ରୀଙ୍କ ଇସ୍ତଫାକୁ ଏକ ବଡ଼ ଝଟକା ଭାବେ ବିଚାର କରୁଛନ୍ତି। ଡାଲହାଉସି ବିଶ୍ୱବିଦ୍ୟାଳୟର ପ୍ରଫେସର ଲୋରି ଟର୍ଣ୍ଣବୁଲ୍ ଫ୍ରିଲ୍ୟାଣ୍ଡର ବିଦାୟକୁ ଏକ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ବୋଲି କହିଛନ୍ତି। ଏହା ପ୍ରକୃତରେ ଦର୍ଶାଉଛି ଯେ ଟ୍ରୁଡୋଙ୍କ ଉପରେ ଆସ୍ଥାର ସଙ୍କଟ ରହିଛି ଏବଂ ତାଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିବା କଷ୍ଟକର ହୋଇପଡିଛି।
ଅଧିକ ପଢ଼ନ୍ତୁ: ପୁଣି ଜିଆରଏପି-୪ ଲାଗୁ, ଏକ୍ୟୁଆଇ ୪୦୦ ଟପିଲା