ଟାମ୍ପା: ଆମେରିକାରେ ସାମୁଦ୍ରିକ ଝଡ଼ ମିଲ୍ଟନ୍ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଆଶଙ୍କା କରାଯାଉଛି। ବାତ୍ୟା ମଙ୍ଗଳବାର ଫ୍ଲୋରିଡାର ଟାମ୍ପା ଉପସାଗର ଉପକୂଳ ଆଡ଼କୁ ଗତି କରୁଛି। ଫ୍ଲୋରିଡାରେ ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଂଚଳକୁ ଖାଲି କରିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି। ବାତ୍ୟା ହେଲେନ୍ର କ୍ଷୟକ୍ଷତିର ଦୁଇ ସପ୍ତାହରୁ କମ୍ ସମୟ ପରେ ଏହି ମହାବାତ୍ୟା ଆସିଛି। ସମ୍ଭାବିତ ବାତ୍ୟାକୁ ଦୃଷ୍ଟିରେ ରଖି ୨୧୦୦ ବିମାନ ବାତିଲ କରାଯାଇଛି।
ଫ୍ଲୋରିଡାର ଜନବହୁଳ ପଶ୍ଚିମ ଉପକୂଳରେ ବାତ୍ୟା ମିଲ୍ଟନ୍ ବୁଧବାର ସ୍ଥଳଭାଗ ଛୁଇଁବାର ଆଶଙ୍କା ରହିଛି। ପଶ୍ଚିମ-କେନ୍ଦ୍ରୀୟ ଫ୍ଲୋରିଡା ପାଇଁ ମିଲ୍ଟନ୍ ସବୁଠାରୁ ବିନାଶକାରୀ ବାତ୍ୟା ହୋଇପାରେ ବୋଲି ଆମେରିକାର ନ୍ୟାସନାଲ ହରିକେନ୍ ସେଣ୍ଟର କହିଛି। ଟାମ୍ପା ଉପସାଗରର ଉତ୍ତର ଓ ଦକ୍ଷିଣ ଉପକୂଳରେ ୧୦ରୁ ୧୫ ଫୁଟର ଲହରୀ ଆସିବାର ସମ୍ଭାବନା ରହିଛି।
୧୨୭ରୁ ୨୫୪ ମିଲିମିଟର କିମ୍ବା ତା'ଠାରୁ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ବନ୍ୟା ଆଶଙ୍କା ମଧ୍ୟ ରହିଛି। ପାଖାପାଖି ୯୦୦ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବିଳମ୍ବିତ ହୋଇଥିଲା। ପାଖାପାଖି ୭୦୦ ବିମାନ ବାତିଲ କରାଯାଇଛି। ବୁଧବାର ହେବାକୁ ଥିବା ୧୫୦୦ରୁ ଅଧିକ ବିମାନ ବାତିଲ କରାଯାଇଛି। ହ୍ଵାଇଟ୍ ହାଉସ୍ କହିଛି ଯେ ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ଏବଂ ଅକ୍ଟୋବର ୧୦ରୁ ୧୫ ମଧ୍ୟରେ ଜର୍ମାନୀ ଗସ୍ତକୁ ସ୍ଥଗିତ ରଖିଛନ୍ତି।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଫ୍ଲୋରିଡାରେ ବାତ୍ୟା ମିଲ୍ଟନ୍ ଆସିବା ପୂର୍ବରୁ ଫ୍ଲୋରିଡା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିବା ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ଅନୁରୋଧ କରିଛନ୍ତି। ଏହା ଜୀବନ ମରଣର ପ୍ରଶ୍ନ ବୋଲି ବାଇଡେନ କହିଛନ୍ତି। ଏହା ଏକ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ଫ୍ଲୋରିଡାରେ ଆସିଥିବା ସବୁଠାରୁ ଶକ୍ତିଶାଳୀ ବାତ୍ୟା ହୋଇପାରେ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଏହା ନ ହୁଏ, କିନ୍ତୁ ବର୍ତ୍ତମାନ ଏହା ଲାଗୁଛି। ବାଇଡେନ୍ ଫ୍ଲୋରିଡାରେ ଜରୁରୀକାଳୀନ ଘୋଷଣାକୁ ଅନୁମୋଦନ କରିଛନ୍ତି।
ଅଧିକ ପଢ଼ନ୍ତୁ: ପଦାର୍ଥ ବିଜ୍ଞାନରେ ଦୁଇ ଜଣଙ୍କୁ ନୋବେଲ ପୁରସ୍କାର