ନୂଆଦିଲ୍ଲୀ: ନୋବେଲ କମିଟି ଆଜି ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରିଛି । ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର । କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ମେସିନ୍ ଲର୍ଣ୍ଣିଂକୁ ସକ୍ଷମ କରୁଥିବା ମୌଳିକ ଆବିଷ୍କାର ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।
ଜନ୍ ଜେ ହପଫିଲଡ ଏବଂ ଜେଫ୍ରି ଇ. ହିଣ୍ଟନ ପଦାର୍ଥ ବିଜ୍ଞାନର ଉପକରଣ ବ୍ୟବହାର କରି ଆଜିର ଶକ୍ତିଶାଳୀ ମେସିନ୍ ଲର୍ଣ୍ଣିଂର ମୂଳଦୁଆ ଥିବା ପଦ୍ଧତି ବିକଶିତ କରିଛନ୍ତି । ଜନ୍ ଜେ ହପଫିଲଡ ଏକ ଆସୋସିଏଟିଭ୍ ମେମୋରୀ ସୃଷ୍ଟି କରିଛନ୍ତି ଯାହା ଡାଟାରେ ଫଟୋ ଏବଂ ଅନ୍ୟ ପ୍ରକାରର ଢାଞ୍ଚାଗୁଡିକ ଷ୍ଟୋର୍ ଏବଂ ପୁନଃନିର୍ମାଣ କରିପାରିବ । ଜେଫ୍ରି ହିଣ୍ଟନ୍ ଏକ ପଦ୍ଧତି ଆବିଷ୍କାର କରିଥିଲେ ଯାହା ସ୍ୱୟଂଚାଳିତ ଭାବରେ ଡାଟାରେ ଗୁଣ ଖୋଜିପାରିବ ତେଣୁ ଫଟୋରେ ନିର୍ଦ୍ଦିଷ୍ଟ ଉପାଦାନଗୁଡିକ ଚିହ୍ନଟ କରିବା ଭଳି କାର୍ଯ୍ୟ ସମ୍ପାଦନ କରିପାରିବ । ୧୯୮୦ ଦଶକରୁ କୃତ୍ରିମ ନ୍ୟୁରାଲ ନେଟୱାର୍କ ସହିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ।
ଗତକାଲି ଚିକିତ୍ସା କ୍ଷେତ୍ର ପାଇଁ ଦୁଇ ଜଣଙ୍କୁ ଯୁଗ୍ମ ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ମେଡିସିନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୈଜ୍ଞାନିକ ଭିକ୍ଟୋର ଆମ୍ବ୍ରୋସ ଏବଂ ଗ୍ୟାରୀ ରୁବକୁନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ସେମାନଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି ।
ପ୍ରତିବର୍ଷ ପାଞ୍ଚଟି କ୍ଷେତ୍ର ଯଥା ମେଡିସିନ, ଫିଜିକ୍ସ, କେମିଷ୍ଟ୍ରୀ, ସାହିତ୍ୟ, ଅର୍ଥନୀତି ଓ ଶାନ୍ତିରେ ଉତ୍କୃଷ୍ଟତା ପାଇଁ ନୋବେଲ ପୁରସ୍କାର ଦିଆଯାଏ । ସ୍ୱିଡେନର ରସାୟନବିତ୍ ଏବଂ ବୈଜ୍ଞାନିକ ଆଲଫ୍ରେଡ ନୋବେଲ ଏହି ସମ୍ମାନଜନକ ପୁରସ୍କାରର ସୃଷ୍ଟିକର୍ତ୍ତା। ତାଙ୍କ ନାମ ଅନୁସାରେ ପ୍ରତିବର୍ଷ ନୋବେଲ ପୁରସ୍କାର ଦିଆଯାଉଛି । ଡିସେମ୍ବର ୧୦ରେ ଆଲଫ୍ରେଡ ନୋବେଲଙ୍କ ତିରୋଧାନ ଦିନ ଅବସରରେ ନୋବେଲ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥାଏ ।