ଖବର ଓଡ଼ିଶା: ହିଂସାର ରୂପ ନେଇଥିବା ଛାତ୍ର ଆନ୍ଦୋଳନ ବାଂଲାଦେଶ ରାଜନୈତିକ ଚିତ୍ରକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଶେଖ ହସିନାଙ୍କୁ ଗାଦି ଚ୍ୟୁତ କରାଇ ଇତିହାସକୁ ଦୋହରାଇ ଦେଇଛି ଏହି ଆନ୍ଦୋଳନ । ଏହାରି ମଧ୍ୟରେ ନୂଆ ଅନ୍ତରୀଣ ସରକାର ମଧ୍ୟ ଗଠନ ହୋଇ ସାରିଛି । ତଥାପି ଦେଶରେ ଆନ୍ଦୋଳନ, ହିଂସା ଏବଂ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏବେ ନୂଆ ସରକାର ଶକ୍ତ ମନୋଭାବ ପ୍ରଦର୍ଶନ କରିଛି । ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଗୃହ ବ୍ୟାପାର ପରାମର୍ଶଦାତା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସେଖାୱତ ହୁସେନ୍ ବିକ୍ଷୋଭକାରୀଙ୍କୁ ଅଗଷ୍ଟ ୧୯ ସୁଦ୍ଧା ସମସ୍ତ ବେଆଇନ ଅସ୍ତ୍ରଶସ୍ତ୍ର ଫେରାଇବାକୁ କହିଛନ୍ତି ।
ଗୃହ ବ୍ୟାପାର ପରାମର୍ଶଦାତା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସେଖାୱତ ହୁସେନ୍ ବିକ୍ଷୋଭକାରୀଙ୍କୁ ବେଆଇନ ତଥା ଅନଧିକୃତ ଅସ୍ତ୍ର ପୋଲିସକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅସ୍ତ୍ରରେ ହିଂସା ସମୟରେ ପୋଲିସ ଠାରୁ ଲୁଟ୍ ହୋଇଥିବା ରାଇଫଲ ମଧ୍ୟ ରହିଛି । ହୁସେନ୍ କହିଛନ୍ତି ଯେ ଯଦି ସେହି ଅସ୍ତ୍ରଶସ୍ତ୍ରକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଦାଖଲ ନ କରାଯାଏ, ତେବେ ଅଧିକାରୀମାନେ ଖୋଜାଖୋଜି କରିବେ ଏବଂ ଯାହାଠାରୁ ଅନଧିକୃତ ଅସ୍ତ୍ରଶସ୍ତ୍ର ମିଳେ ତେବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବ ।
ଏହି ପ୍ରତିବାଦରେ ଛାତ୍ରଙ୍କ ସମେତ ପ୍ରାୟ ୫୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ହଜାର ଲୋକ ଆହତ ହୋଇଥିବା ହୁସେନ୍ କହିଛନ୍ତି । ଭିଡିଓରେ ଜଣେ ଯୁବକ ୭.୬୨ ମିଲିମିଟର ରାଇଫଲ ଛଡ଼ାଇ ନେଇଥିବାର ନଜର ଆସିଛନ୍ତି । ଏହାର ଅର୍ଥ ରାଇଫଲ ଫେରସ୍ତ କରାଯାଇ ନାହିଁ । ଯଦି ଆପଣ ଭୟ କାରଣରୁ ରାଇଫଲକ୍ ହସ୍ତାନ୍ତର କରିନାହାଁନ୍ତି ତେବେ ଅନ୍ୟ କାହା ମାଧ୍ୟମରେ ହସ୍ତାନ୍ତର କରିବାକୁ ସେ କହିଛନ୍ତି ।