ଢାକା: ବାଂଲାଦେଶରେ ଦୁର୍ଗାପୂଜା ପାଳନ କରିବାକୁ ନେଇ ଧମକ ମିଳିବା ପରେ ହିନ୍ଦୁମାନେ ଭୟଭୀତ ହୋଇପଡ଼ିଛନ୍ତି। ଫଳରେ ବାଂଲାଦେଶର ସର୍ବବୃହତ ସଂଖ୍ୟାଲଘୁ ସମ୍ପ୍ରଦାୟରେ ଦୁର୍ଗାପୂଜା ପ୍ରତି ଉତ୍ସାହ ହ୍ରାସ ପାଇଛି। ବାଂଲାଦେଶରେ ହିଂସା କାଣ୍ଡ ବଢ଼ୁଥିବା ବେଳେ ଢାକାସ୍ଥିତ ରାମକୃଷ୍ଣ ମିଶନ ଚଳିତ ବର୍ଷ କୁମାରୀ ପୂଜା ପାଳନ କରିନାହିଁ। ଏହାପରେ ମୁଖ୍ୟ ପୂଜା ଖୋଲାରେ ନ କରିବାକୁ ମିଶନ ନିଷ୍ପତ୍ତି ନେଇଛି। ଏହି ପୂଜା ଏବେ ଅଡିଟୋରିୟମ୍ ଭିତରେ ପାଳିତ ହେବ। ବାଂଲାଦେଶର ଏକ ଜଣାଶୁଣା ଗଣମାଧ୍ୟମ ନିଜ ରିପୋର୍ଟରେ ଏ ନେଇ ସୂଚନା ଦେଇଛି ।
ଢାକାରେ ସଂଖ୍ୟାଲଘୁଙ୍କ ପାଇଁ କାମ କରୁଥିବା ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ନାମ ଗୋପନ ରଖିବା ସର୍ତ୍ତରେ ଗଣମାଧ୍ୟମକୁ କହିଛନ୍ତି ଯେ 'ମୌଳବାଦୀମାନେ କୌଣସି ପ୍ରକାର ଶବ୍ଦ ବ୍ୟବହାର ନ କରିବାକୁ ଚେତାବନୀ ଦେଇଛନ୍ତି। ଏହା ସମଗ୍ର ଦେଶରେ ହିନ୍ଦୁମାନଙ୍କୁ ଭୟଭୀତ କରିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାମକୃଷ୍ଣ ମିଶନର ଅଡିଟୋରିୟମ୍ ଭିତରେ ଦୁର୍ଗାପୂଜା ଅନୁଷ୍ଠିତ ହେବ।
ବାଂଲାଦେଶର ମୌଳବାଦୀମାନେ ଦୁର୍ଗାପୂଜା ସମୟରେ ମାଇକ୍ ବ୍ୟବହାର ନ କରିବା ଏବଂ କୌଣସି ପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର ନ କରିବାକୁ ଧମକ ଦେଇଛନ୍ତି। ମଣ୍ଡପ ପ୍ରତିଷ୍ଠା ପାଇଁ ପୂଜା କମିଟିଗୁଡ଼ିକୁ ୫ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ଦାବି ହୋଇଛି। ଏହି ମୌଳବାଦୀମାନଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ନିରବ ସମ୍ମତି ରହିଛି। କିଛି ଦିନ ତଳେ ବାଂଲାଦେଶର ଗୃହମନ୍ତ୍ରୀ ମଧ୍ୟ ଏହି ସ୍ୱରରେ ସାମିଲ ହୋଇ ହିନ୍ଦୁମାନଙ୍କୁ ଦୁର୍ଗାପୂଜାରେ ନମାଜ ପୂର୍ବରୁ ଶବ୍ଦ ଓ ପୂଜା ବନ୍ଦ କରିବାକୁ କହିଥିଲେ।
ଶେଖ୍ ହସିନା ଢାକା ଛାଡିବା ପରଠାରୁ ବାଂଲାଦେଶର ମୋଟ ୭୨ଟି ଜିଲ୍ଲା ମଧ୍ୟରୁ ୬୨ଟି ଜିଲ୍ଲାରେ ହିନ୍ଦୁମାନଙ୍କୁ ଟାର୍ଗେଟ କରିବା ଘଟଣା ସାମ୍ନାକୁ ଆସିଛି। ଏଥିରେ ହିନ୍ଦୁ ସମ୍ପ୍ରଦାୟର ଘର, ଧର୍ମାନୁଷ୍ଠାନ ଓ କର୍ମସ୍ଥଳୀ ଭଙ୍ଗାରୁଜା ଏବଂ ଏପରିକି ପିଟିପିଟି ହତ୍ୟା କାଣ୍ଡ ମଧ୍ୟ ଅନ୍ତର୍ଭୁକ୍ତ। ବାଂଲାଦେଶର ବର୍ତ୍ତମାନର ସରକାର ଆଗାମୀ ପର୍ବରେ ପୂଜା ମଣ୍ଡପ ଏବଂ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହା ସବୁ ଏକ ଛଳନା। କୌଣସି ଅଭିଯୁକ୍ତଙ୍କୁ ଅଟକ ରଖାଯାଇନାହିଁ କି ଗିରଫ କରାଯାଇନାହିଁ।
ଅଧିକ ପଢ଼ନ୍ତୁ: ପଞ୍ଜାବ ପଂଚାୟତ ନିର୍ବାଚନ: ଜାରି ରହିଛି ହିଂସା