ଗଞ୍ଜାମ, ଡିସେମ୍ବର ୫(ଖବର ଓଡ଼ିଶା): କେବେ ଦୂର ହେବ ଚାଷୀ ଯାତନା? ରାଜ୍ୟରେ ଦିନକୁ ଦିନ ଚାଷୀ ମାନଙ୍କ ଦୁର୍ଦ୍ଦଶା ବଢି ବଢି ଚାଲିଛି । ପ୍ରାୟ ସମୟରେ ଚାଷୀ ଆତ୍ମହତ୍ୟାର ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ମଧ୍ୟ ସେଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡି ପଞ୍ଚାୟତ ଉଲୁମା ଗ୍ରାମରେ ।
ସୂଚନା ଅନୂସାରେ ଏହି ଗ୍ରାମର କୈଳାଶ ସବର ନାମକ ଜଣେ ଚାଷୀ ଋଣ ନେଇ ଚାଷ କରିଥିବା ବେଳେ ଏବର୍ଷ ବାରମ୍ବାର ଲଗାଣ ବର୍ଷାରେ ଚାଷ ନଷ୍ଟ ଯୋଗୁଁ ଆଉ ଋଣ ସୁଝିନପାରିବାରୁ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଘଟଣା ଜଣାପଡିବା ସଙ୍ଗେ ସଙ୍ଗେ କୈଳାଶଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।